ଭୁବନେଶ୍ୱର : ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା I ଓଲିଉଡର ଆଗଧାଡିର ନାୟିକା ତଥା ବଙ୍ଗୀୟ ସୁନ୍ଦରୀ ଝିଲିକ ଭଟ୍ଟାଚାର୍ଯ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି I କିଛିଦିନ ପୂର୍ବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା I ଏବେ ତାହା ସତ ହୋଇଛି I ଓଲିଉଡ ନାୟିକା ଝିଲିକ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ପୁଅ ପ୍ରୀତିରଞ୍ଜନ ଘଡାଇଙ୍କୁ ବିବାହ କରିଛନ୍ତି I ଚିଲିକାର ଏକ ରିସୋର୍ଟରେ ଦୁଇଜଣଙ୍କର ବିବାହ ହୋଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦୁଇଜଣଙ୍କ ବିବାହ ସ୍ପଷ୍ଟ ହୋଇଛି I ପରିବାର ଓ କିଛି ସମ୍ପର୍କୀୟଙ୍କ ଗହଣରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ କହିଛନ୍ତି I ବିବାହର ଫଟୋଗୁଡିକୁ ଝିଲିକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି I ଯେଉଁ ଫଟୋରେ ଝିଲିକ ଏକ ନାଲି ରଙ୍ଗର ଯୋଡା ପିନ୍ଧିଥିବାବେଳେ ପ୍ରୀତିରଞ୍ଜନ ଧଳା ସେରୱାନୀ ପିନ୍ଧିଥିବାର ନଜର ଆସୁଛନ୍ତି I କିଛି ଦିନ ତଳେ ତାଙ୍କ ନିର୍ବନ୍ଧ ହୋଇଥିବା କଥା ଚର୍ଚ୍ଚା ହୋଇଥିଲା ଏବଂ ନିର୍ବନ୍ଧର ଫଟୋ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା I ଯେଉଁଥିରେ ପ୍ରୀତିରଞ୍ଜନ ଓ ଝିଲିକ ହାତ ଧରାଧରି ହୋଇ ସାଙ୍ଗମାନଙ୍କ ଗହଣରେ ନାଚୁଥିବାର ଦେଖାଦେଇଥିଲା I ଉଭୟ ଓଡିଆ ଓ ବଙ୍ଗଳା ଫିଲ୍ମରେ ଅଭିନୟ କରିଛନ୍ତି ଝିଲିକ I ସେ ପ୍ରାୟ 15ଟି ଫିଲ୍ମରେ ଅଭିନୟ କରିଛନ୍ତି, ଅନ୍ୟପକ୍ଷରେ ପ୍ରୀତିରଞ୍ଜନଙ୍କର ଏହା ଦ୍ୱିତୀୟ ବିବାହ ଏବଂ ତାଙ୍କର ପ୍ରଥମ ବିବାହ ବିଚ୍ଛେଦ ହେବା ପରେ ଏହି ବିବାହ ହୋଇଥିବା ସୂଚନା ମିଳିଛି I

LEAVE A REPLY

Please enter your comment!
Please enter your name here