ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନୃଶଂସ ମାଡ଼। ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି ଠେଙ୍ଗା, ବଲ୍ଲା ଓ କାଠ ଫାଳିଆରେ ବାରମ୍ବାର ପିଟି ପିଟି ଚାଲିଛନ୍ତି ୨ ଯୁବକ। ଦୀର୍ଘ ସମୟ ଧରି ଏପରି ଅମାନୁଷିକ କାଣ୍ଡ ଘଟିଚାଲିଥିଲେ ମଧ୍ୟ କେହି ବି ଅଟକାଇବାକୁ ଚେଷ୍ଟା କରୁ ନାହାନ୍ତି।
ଯୁବକଜଣକ ଛାଡ଼ି ଦେବାକୁ ଆକୁଳ ନିବେଦନ କରୁଥିଲେ ମଧ୍ୟ କିଛି ଫରକ ପଡ଼ୁନି। ପାଣି ଟୋପେ ମାଗିଲେ ମିଳୁଛି ପରିସ୍ରା । ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳରେ ଗତ ୧୮ ତାରିଖରେ ଘଟିଥିବା ଘଟିଯାଇଛି ଏପରି ନିର୍ମମ କାଣ୍ଡ । ସମସ୍ତ ଗ୍ରାମବାସୀ ଏହାର ଦେଖଣାହାରୀ ସାଜିଥିବା ବେଳେ କେହି ଅଟକାଇବାକୁ ଚେଷ୍ଟା କରୁ ନ ଥିବାରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ପୂରା ଘଟଣାଟି ଏହିପରି। ପୂର୍ବ ବିବାଦକୁ ନେଇ କାଇପଦର ଓ ବଙ୍ଗିଦା ଗାଁର ଯୁବକଙ୍କ ମଧ୍ୟରେ ଗତ ଅଗଷ୍ଟ ମାସରେ କିଛି ଗଣ୍ଡଗୋଳ ହୋଇଥିଲା। ଏପରିକି କଥା ଥାନା ଯାଏ ମଧ୍ୟ ଯାଇଥିଲା। ଏହାପରେ ଆପୋଷ ବୁଝାମଣା ମଧ୍ୟରେ ମିମାଂସା ହୋଇଥିଲା। କିନ୍ତୁ ସୁଯୋଗ ଅପେକ୍ଷାରେ ଥିଲେ କାଇପଦର ଗ୍ରାମର ଯୁବକ।
ଗତ ୧୮ ତାରିଖରେ ବଙ୍ଗିଦା ଗାଁର ଏହି ପୀଡ଼ିତ ଯୁବକଙ୍କୁ ଏକୁଟିଆ ପାଇ କାଇପଦର ଗାଁର ୨ ଯୁବକ ଉଠାଇ ଆଣିଥିଲେ। ଏହାପରେ ଦିନ ଦ୍ୱିପ୍ରହରରେ ଗାଁର ଏକ ଗଛରେ ବାନ୍ଧି ପକାଇ ଆରମ୍ଭ କରି ଦେଇଥିଲେ ଅକଥନୀୟ ନିର୍ଯାତନା। ଯୁବକଜଣକ ଛାଡ଼ି ଦେବାକୁ କାକୁତି ମିନତି କରୁଥିଲେ ମଧ୍ୟ ସେମାନଙ୍କ ହୃଦୟ ତରଳୁ ନ ଥିଲା। ଗୋଟିଏ ପରେ ଗୋଟିଏ ଠେଙ୍ଗା ଆଣି ପିଟି ଚାଲିଥିଲେ। ପାଣି ଟୋପେ ମାଗିଲେ ପରିସ୍ରା ପିଇବାକୁ ବାଧ୍ୟ କରୁଥିଲେ।
ଘଟଣା ସମୟରେ ଗାଁର ବହୁ ଲୋକେ ବି ଉପସ୍ଥିତ ଥିଲେ। ହେଲେ କେହି ବି ନା ଅଟକାଇ ଥିଲେ ନା ଘଟଣାକୁ ବିରୋଧ କରିଥିଲେ । ଘଟଣା ସମୟର ଭିଡିଓ ଭାଇରାଲ ହେବା ପରେ ଏହା ଏବେ ଲୋକଲୋଚନକୁ ଆସିଛି। ହେଲେ ପୀଡ଼ିତ ଯୁବକ କେଉଁଠି ଅଛନ୍ତି, ତାଙ୍କ ଅବସ୍ଥା କିପରି ଅଛି, ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ନା ନାହିଁ ସେ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here