ଠିକ୍ ଭାବେ ମାସ୍କ ପିନ୍ଧିବା, ସନ୍ତୁଳିତ ଆହାର ଖାଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା – ଏ ତିନୋଟି କାର୍ଯ୍ୟକୁ ସୁଚାରୁରୂପେ କରିପାରିଲେ ଆମେ କୋଭିଡକୁ ହରାଇପାରିବା । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ବାବଧାନରେ ରିଜିଓନାଲ ଆଉଟରେଚ୍ ବ୍ୟୁରୋ ପକ୍ଷରୁ ଆୟୋଜିତ ଭର୍ଚ୍ୟୁଆଲ ଡିସକସନରେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଥିବା ପ୍ରଫେସନାଲମାନେ ଏହା କହିଛନ୍ତି । ଆଲୋଚନାରେ ଭାଗ ନେଇ ଆଡିସନାଲ ଡିଜି ଶ୍ରୀ ରାଜେନ୍ଦର ଚୌଧୁରୀ ସକରାତ୍ମକ ଭାବନା ଏବଂ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ସକରାତ୍ମକ ପ୍ରେରଣା ଦେବା ଏବଂ ସରକାରଙ୍କ ଗାଇଡଲାଇନ୍ ପାଳନ କଲେ ଆମେ କୋଭିଡକୁ ମୁକାବିଲା କରିବାରେ ସଫଳ ହୋଇପାରିବା ବୋଲି କହିଥିଲେ । ସେହିପରି କଟକ ଶିଶୁଭବନର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଦିଲ୍ଲୀପ ଦାସ ଅଳ୍ପ ଲକ୍ଷଣ ଥିବା ବ୍ୟକ୍ତି କିଭଳି ଠିକଣା ଭାବେ ହୋମ୍ ଆଇସୋଲେସନରେ ରହିବେ, ସେ ସଂପର୍କରେ ସୂଚନା ଦେଇଥିଲେ । ଫାର୍ମାସିଷ୍ଟ ଶଶୀଭୂଷଣ ମହାପାତ୍ର ଦୈନନ୍ଦିନ ଜୀବନରେ ଯୋଗ, ବ୍ୟାୟାମ, ପୁଷ୍ଟିକର ଖାଦ୍ୟ ସଂପର୍କରେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏସଏପି ବସପ୍ତମ ବାଟାଲିଅନର ଡେପୁଟି କମିଶନର ବିଜୟ କୁମାର ସାହୁ, କିଟ ସ୍କୁଲ ଅଫ ଲ ର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ବୀନିତ ବେହେରା, ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଟାନ ଭୁବନେଶ୍ବରର ଆଡିସନାଲ ପ୍ରଫେସର ଡକ୍ଟର ସରିତ କୁମାର ରାଉତ କୋଭିଡ ସମୟରେ କିଭଳି ସ୍ବାସ୍ଥ୍ୟ ପ୍ରତି ଆମେ ସଚେତନ ରହିବା, କୋଭିଡ ଗାଇଡଲାଇନ ମାନିବା ସହ ଭ୍ୟାସିନେସନ ନେବାର ଆବଶ୍ୟକ ରହିଛି, ତାହା ଉପରେ ଗୁରୁତ୍ବ ଦେଇଥିଲେ । ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକମାନଙ୍କୁ ସହାୟତାର ହାତ ବଢାଇବା ଏବଂ ସଂକ୍ରମଣକୁ ଏଡାଇବା ପାଇଁ ଜନଗହଳି ସ୍ଥାନ ଠାରୁ ଦୂରେଇ ରହିଲେ ଆମେ ଏହି ବିଶ୍ବ ମହାମାରୀକୁ ହରାଇୁପାରିବା ବୋଲି ବକ୍ତାମାନେ ମତ ଦେଇତିଲେ । ଆଉଟରେଚ୍ ବ୍ୟୁରୋର ଡାଇରେକ୍ଟର ଅଖିଳ କୁମାର ମିଶ୍ର ଏଭଳି ଜଟିଳ ସମୟରେ ସଠିକ ଏବଂ ପ୍ରାମାଣିକ ତଥ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ଅଲ ଇଣ୍ଡିଆ ରେଡିଓର ବାର୍ତ୍ତା ସଂପାଦକ ଇତିଶ୍ରୀ ସିଂ ରାଠୋର ଏହି ଭର୍ଚ୍ୟୁଆଲ ଆଲୋଚନାର ସଞ୍ଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here