ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିରୋଧରେ ଏକ ବଡ ଧାରଣାରେ ସରକାରୀ ଜମି ହଡପ ଅଭିଯୋଗ ଆଣିଛି ବିଜେପି | ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ପ୍ରମାଣ ପତ୍ର ସହ ମହାରଥୀ ସରକାରୀ ଜମି ହଡପ କରି ନେଇଥିବା ଅଭିଯୋଗ ଆଣିଛନ୍ତି | ହଡପ କରିଥିବା ଜମିର ଆନୁମାନିକ ମୂଲ୍ୟ ପ୍ରାୟ ଶହେ କୋଟିରୁ ଅଧିକ ଟଙ୍କା ହେବ ବୋଲି କହିଛନ୍ତି ବିଜେପି ମୁଖପାତ୍ର | ମହାରଥୀ ନିଜ ଫାର୍ମ ହାଉସ ନିକଟ ସରକାରୀ ଜମିକୁ ବେଆଇନ ଭାବେ ଦଖଲ କରିଛନ୍ତି | ମହାରଥୀ ନିଜ ହୁଙ୍କେଇପୁର ଫାର୍ମ ହାଉସ୍ ନିକଟବର୍ତ୍ତୀ ମୌଜା ପୋଢ଼ାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟ୍କୁ ତାଙ୍କ ଫାର୍ମ ହାଉସ୍ରେ ମିଶାଇ ଦେଇ ଭୋଗ ଦଖଲ କରୁଛନ୍ତି |
କେବଳ ମହାରଥୀ ନୁହଁନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଯୁଧିଷ୍ଠର ସାମନ୍ତରାୟଙ୍କ ବିରୋଧରେ ମଧ୍ୟ ଜମି ହଡ଼ପ ନେଇ ବିଜେପି ଅଭିଯୋଗ ଆଣିଛି । ପିପିଲି ତହସିଲ୍ରେ ୫୬ ଏକରରୁ ଅଧିକ ଗୋଚର ଜମିକୁ ତତ୍କାଳୀନ ତହସିଲଦାର ଓ ଜିଲ୍ଲାପାଳମାନଙ୍କ ସହାୟତାରେ ସେ ଜମି ହଡ଼ପ କରି ନେଇଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । ଯାହାର ଆନୁମାନିକ ମୂଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ହେବ | ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗୋଲକ ମହାପାତ୍ର, ମହାରଥୀ ଓ ଯୁଧିଷ୍ଠରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି | ପୂର୍ବରୁ ମହାରଥୀଙ୍କ ଜମି ହଡପ ନେଇ ୨୦୧୫ରେ ଓଡ଼ିଶା ହାଇକୋର୍ଟରେ ନିଜେ ଯୁଧିଷ୍ଠିର ମାମଲା ଦାଏର କରିଥିଲେ । ୨୦୧୬ରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଦରଖାସ୍ତକାରୀ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ନିକଟରେ ଦରଖାସ୍ତ କରିବେ ଏବଂ ଜିଲ୍ଲାପାଳ ଦୁଇ ମାସ ଭିତରେ ନିଷ୍ପତ୍ତି ନେବେ । ମାତ୍ର ଜିଲ୍ଲାପାଳ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି | ସେପଟେ ବିଜେପି ରାଜ୍ୟ ସରକାରଙ୍କ ୫ଟି ନୀତି ନିୟମକୁ ଆକ୍ଷେପ କରିଛି | ଏହାର ତଦନ୍ତ କରିବାକୁ ଦାବି କରିଛି ବିଜେପି |