ମୁଣ୍ଡରେ ହେଲମେଟ ନାହିଁ ତ ଚଢିପାରିବେନି ଓଭରବ୍ରିଜ୍ । ରସୁଲଗଡଠାରୁ ଖଣ୍ଡଗିରି ପର୍ଯ୍ୟନ୍ତ ରାସ୍ତାରେ ପ୍ରତ୍ୟେକ ଦୁଇ ଚକିଆ ଯାନ ଚାଳକ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହି ରାସ୍ତାରେ ଯାଞ୍ଚ କରିବା ପାଇଁ ଅଧିକାରୀମାନେ ଜଗି ରହିବେ । କୌଣସି ଜଣେ ହେଲେ ଚାଳକକୁ ଛଡାଯିବ ନାହିଁ । ବାରମ୍ବାର ଉଲ୍ଲଂଘନ କରୁଥିବା ଚାଳକର ଲାଇସେନ୍ସ ରଦ୍ଦ କରାଯିବ । ଆଜିଠାରୁ ଏହି ନିୟମକୁ କଡାକଡି ଲାଗୁ କରାଯିବ । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ଭୁପେନ୍ଦ୍ର ସିଂହ ପୁନିଆ କଡା ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଭୁବନେଶ୍ୱରର ସମସ୍ତ ଜାଗାରେ ହେଲମେଟ ବ୍ୟବହାର କଡାକଡି କରାଯାଇଛି । ରାଜଧାନୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଘାତକ ସାଜିଛି । ଗତ ମାସରେ ୭ଦିନରେ ୮ଟି ମୁଣ୍ଡ ଗଡିବା ପରେ ପୋଲିସ ଏହି ରାସ୍ତାରେ ୫ଟି ବ୍ଲାକସ୍ପଟ ଚିହ୍ନଟ କରିଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ମାନସ ମନ୍ଥନ କରିଛି । ଅନ୍ୟପଟେ ବୃଦ୍ଧି ପାଉଥିବା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଏହି ବ୍ୟବସ୍ଥାରେ ଯେ କମିଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଚିହତ୍ତ ବ୍ଲାକସ୍ପଟରେ ଷ୍ଟପବୋର୍ଡ କିମ୍ବା ବ୍ୟାରିକେଡ କରାଯାଇ ଦ୍ରୁତ ଗତିରେ ଚଳାଉଥିବା ଚାଳକଙ୍କ ଗତି ଉପରେ ରୋକ୍ ଲଗାଯିବା ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା । ବ୍ଲାକସ୍ପଟ୍ ଠାରୁ ଅନେକ ଦୂରରୂ ଚାଳକଙ୍କୁ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବାକୁ ମଧ୍ୟ କୁହାଯାଇଥିଲା । ଏ ସବୁ କମିଶନରେଟ ପୋଲିସର ଯୋଜନାରେ ସୀମିତ ଥିବାବେଳେ ଜିଲ୍ଲାପାଳଙ୍କର ଏହି ଘୋଷଣା କେତେଦୂର କାମ କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here