ଭୁବନେଶ୍ୱର ଜନତା ମଇଦାନରେ ଜମୁଛି ଜାତୀୟ ତୋଷାଳୀ ମେଳା । ରବିବାର ଲାଗିଥିଲା ଲୋକଙ୍କ ଖଚାଖଚ ଭିଡ । ହସ୍ତ୍ରତନ୍ତ୍ର ଓ ବୟନ ଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ କୁଶଳୀ କାରିଗର , ବୁଣାକାର ସାମିଲ ହୋଇଛନ୍ତି । ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୨୫୦ଟି ଷ୍ଟଲ ଖୋଲିଛି । ଏଥିରେ ରାଜ୍ୟ ବାହାରର ୮୦ଟି ଏବଂ ୧୭୦ଟି ଷ୍ଟଲ ରାଜ୍ୟର ରହିଛି । ସେହିପରି ରବିବାର ସଂଧ୍ୟାରେ ତୋଷାଳୀ ମେଳାରେ ପହଁଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏବଂ ମେଳାବୁଲି ଦେଖିଥିଲେ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଆତ୍ମ ନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଥମେ ଆତ୍ମ ନିର୍ଭର ଓଡିଶା ଗଠନ କରିବାକୁ ହେବ । ଆମର କଳା ଏବଂ ସଂସ୍କୃତି ସହିତ ଜଡିତ ହସ୍ତ୍ର ଶିଳ୍ପ, ବୟନ ଶିଳ୍ପ ତଥା ଆମ ଶିଳ୍ପୀ ଏବଂ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଚାହିଦା ସାରା ଦେଶରେ ବଢାଇବାକୁ ଆମକୁ ପ୍ରଧାନମନ୍ତ୍ରୀଙ୍କ ଭୋକାଲ ଫର ଲୋକାଲ ମାର୍ଗରେ ଜିବାକୁ ହେବ । କରୋନା କଟକଣାକୁ ମାନି ମେଳାର ମଜା ନେଉଛନ୍ତି ଲୋକେ । ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆହୁରି ୧୫ ଦିନ ଧରି ଚାଲିବ ।