ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମାଲଣ୍ଡ ଗ୍ରାମର ଅଭିମନ୍ୟୁ ମହଲା । ତାଙ୍କର ୧୨ ବର୍ଷର ପୁଅ ବିଭୁପ୍ରସାଦ ଥାଲାସେମିଆ ରୋଗରେ ପୀଡ଼ିତ । ତାଙ୍କୁ ରକ୍ତ ଦେବା ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ ସେ । କିନ୍ତୁ ଜିଲ୍ଲା ରକ୍ତ ଭଣ୍ଡାରରେ ଏ ପଜିଟିଭ୍ ରକ୍ତ ନ ଥିବାରୁ ସେ ହତାଶ ହୋଇପଡିଥିଲେ । ଜଗତସିଂହପୁର ଟାଉନହଲ ଛକ ନିକଟରେ ବସି କାନ୍ଦୁଥିବା ବେଳେ ସେହି ବାଟ ଦେଇ ଯାଉଥିବା ଯୁବ ଆଇନଜୀବୀ ତଥା ଜଗତସିଂହପୁର ଜିଲ୍ଲା ଯୁବ ବିଜୁ ଜନତା ଦଳର ସମ୍ପାଦକ ସରୋଜ ବିଶ୍ୱାଳଙ୍କ ନଜର ପଡିଥିଲା ଏହି ଅସହାୟ ବ୍ୟକ୍ତିଙ୍କ ଉପରେ । ପୀଡ଼ିତଙ୍କ ନିକଟରୁ ସବୁ ଶୁଣିବା ପରେ ଶ୍ରୀ ବିଶ୍ୱାଳ ରୋଗୀକୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ସହ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ସେହି ଗ୍ରୁପର ରକ୍ତ ଦେବା ପାଇଁ ନିବେଦନ କରିଥିଲେ । ଏହା ଶୁଣି ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡ ପ୍ରଭାତ ରଞ୍ଜନ ବେହେରା ତତକ୍ଷଣାତ୍ ରକ୍ତଦାନ କରି ନିରୀହ ଶିଶୁଟିର ଜୀବନ ରକ୍ଷା କରିଥିଲେ । ପୂର୍ବରୁ ମଧ୍ୟ ସିକ୍ୟୁରିଟି ଗାର୍ଡ ପ୍ରଭାତ ରକ୍ତ ଦାନ କରି ଜଣଙ୍କର ଜୀବନ ରକ୍ଷା କରିଥିଲେ ।