ରାଜ୍ୟର ଶୈବପୀଠ ଗୁଡିକରେ ଏଣିକି ଗଞ୍ଜେଇ ବ୍ୟବହାର ହୋଇପାରିବ ନାହିଁ । ଶୈବପୀଠରେ ଗଞ୍ଜେଇ ନିଷେଧ କରିବା ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖାଯାଇଛି । କେତେକ ଶିବ ମନ୍ଦିରରେ ଗଞ୍ଜେଇ ଭୋଗ ହୋଇଥାଏ ଏବଂ ଭୋଗ ବାହାନାରେ ଏହାକୁ ସେବାୟତମାନେ ଗ୍ରହଣ କରିଥାନ୍ତି । ତେବେ ଭୁବନେଶ୍ବରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ସମେତ ଅନେକ ଶୈବପୀଠରେ ଗଞ୍ଜେଇ ଭୋଗ ହୁଏ ନାହିଁ ବୋଲି ସେବାୟତମାନେ କହିଛନ୍ତି ।
ଅନ୍ୟପକ୍ଷରେ ଆରଡି ଆଖଣ୍ଡଳମଣୀ ମନ୍ଦିରରେ ଭୋଗରେ ଗଞ୍ଜେଇ ଲାଗି ହୋଇଥାଏ ବୋଲି ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି । ଏହା ଆରଡି ଶୈବପୀଠର ଶହ ଶହ ବର୍ଷର ପରଂପରା ଏବଂ ଘର୍ଷଣରେ ଗଞ୍ଜେଇ ପକାଯାଇଥାଏ । ଏବେ ସରକାରଙ୍କ ନିର୍ଦ୍ଦେଶ ପରେ ମନ୍ଦିର କମିଟି ବିଚାର କରିବ ବୋଲି ମୁଖ୍ୟ ପୂଜକ କହିଛନ୍ତି ।
ଓଡିଶାର ଗାଁ ଗାଁରେ ହେଉଥିବା ତ୍ରିନାଥ ମେଳାରେ ସାଧାରଣତଃ ଗଞ୍ଜେଇ ବ୍ୟବହାର ହୋଇଥାଏ । ତେଣୁ ସରକାରଙ୍କ ନିର୍ଦ୍ଦେଶକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।