ଆଜି ସକାଳ ୬ଟାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପକ୍ରିୟା । ଶ୍ରୀ ମନ୍ଦିର ଚାରିପାଖ ଅର୍ଥାତ୍ ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଏବଂ ଘରୋଇ ନିର୍ମାଣଧିନ କୋଠା ଗୁଡିକରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ । ପ୍ରଥମେ ଏହି ସବୁ କୋଠା ଗୁଡିକୁ ଭଙ୍ଗା ଯାଇଛି । ଆଜି ସକାଳୁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ଓ ୮ ଜଣ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଏହି ଉଚ୍ଛେଦ କାମ । ହେଲେ ମେଘନାଦ ପାଚେରୀରୁ ୭୫ ମିଟର ସୀମା ଭିତରେ ଉଚ୍ଛେଦ ହେବ କି ନାହିଁ ସେ ନିଷ୍ପତି ପରେ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ । ଏହି ସୀମା ଭିତରେ ୧୨ଟି ବଡ ବଡ ମଠ ରହିଛି । ସୂଚନା ମୁତାବକ ଜଗନ୍ନାଥ ମନ୍ଦିର ଓ ଭକ୍ତଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଜଷ୍ଟିସ ବି.ପି. ଦାସଙ୍କ ରିପୋର୍ଟର ସୁପାରିଶ କ୍ରମେ ରାଜ୍ୟ କ୍ୟାବିନେଟରେ ଏହି ଉଚ୍ଛେଦ ପାଇଁ ନିଷ୍ପତି ନିଆଯାଇଥିଲା । ମେଘନାଦ ପାଚେରୀର ୭୫ ମିଟର ସୀମା ପର୍ଯ୍ୟନ୍ତ ଏହି ଉଚ୍ଛେଦ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଜିଲ୍ଲା ପ୍ରଶାସନ । ରାଜ୍ୟ ସରକାର କିଭଳି ଏକତରଫା ନିଷ୍ପତି ନେଲେ ବୋଲି ପୂର୍ବରୁ ସେବାୟତ ମୁକ୍ତି ମଣ୍ଡପ ପଣ୍ଡିତ ସଭା ସଦସ୍ୟଙ୍କ ସହ ଜଗନ୍ନାଥ ସେନା ଏହି ଆପତ୍ତି ଉଠାଇଥିଲେ । ଏପରିକି ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାକୁ ପଛାଇବେ ନାହିଁ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here