ସରଗରମ ହୋଇଛି କଲେଜ କ୍ୟାମ୍ପସ । ପାରମ୍ପରିକ ବାଦ୍ୟ ଓ ଗୀତର ତାଳେ ତାଳେ ମସଗୁଲ ହୋଇଛନ୍ତି ଛାତ୍ରଛାତ୍ରୀ । କଲେଜର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ସମାଧାନ କରିବାର ପ୍ରତିଶୃତି ଦେଇ ନିଜ ସମର୍ଥକଙ୍କ ସହିତ ନାମାଙ୍କନ ଦାଖଲ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ କଲେଜ କ୍ୟାମ୍ପସ ଉଠୁଛି ଆଉ ପଡୁଛି । ବୁଧବାର ଲିଙ୍ଗଡୋ କମିଶନଙ୍କ ଆଇନ ଅନୁଯାୟୀ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଅକ୍ଟୋବର ୪ ତାରିଖ ଦିନ ୧୧ଟାବେଳେ ନାମାଙ୍କନ ପ୍ରକ୍ରିୟାର ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ସେହିଦିନ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଅକ୍ଟୋବର ୧୦ ତାରିଖ ଦିନ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର’ ବୈଠକ ସମସ୍ତ କଲେଜ ଏବଂ ୟୁନିଭର୍ସିିଟିରେ ଅନୁଷ୍ଠିତ ହେବ । ୧୧ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲୁ ରହିବ ।ଅପରାହ୍ନ ୨ଟାରୁ ଭୋଟ ଗଣତି ହୋଇ ସଂନ୍ଧ୍ୟା ସୁଦ୍ଧା ସମସ୍ତ ଫଳାଫଳ ପ୍ରକାଶ ପାଇବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଶାନ୍ତି ସହକାରେ ଅନୁଷ୍ଠିତ ହେବା ଲାଗି କଲେଜ ଓ ୟୁନିଭର୍ସିଟି ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି ।