ଭାରତୀୟ ସଂସ୍କୃତିରେ ପରକୀୟା ପ୍ରୀତି ଅପରାଧ . ମହିଳାଙ୍କ ଅଧିକାରର ସୁରକ୍ଷା ଦେବାକୁ ଯାଇ ସୁପ୍ରମକୋର୍ଟ ଯେଉଁ ରାୟ ଦେଇଛନ୍ତି, ତାହା ଭାରତୀୟ ସଂସ୍କୃତି ବିରୋଧୀ. ଭାରତୀୟ ଦଣ୍ଡ ସଂହିତାର ଧାରା 497କୁ ଅସାମ୍ବିଧାନିକ ଘୋଷଣା କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଯେଉଁ ରାୟ ଦେଇଛନ୍ତି, ତାହା ଭାରତୀୟଙ୍କ ପାଇଁ ଗ୍ରହଣଯୋଗ୍ୟ ନୁହେଁ . ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମହିଳାଙ୍କ ଅଧିକାର ଓ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି ବୋଲି କହୁଛନ୍ତି. ମାତ୍ର ଭାରତୀୟ ସଂସ୍କୃତି ଓ ପରଂପରାରେ ବୈବାହିକ ଜୀବନରେ ପରକୀୟା ପ୍ରୀତି ଆଦୌ ଗ୍ରହଣଯୋଗ୍ୟ ନୁହେଁ. ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରୁ ଯେକେହି ବି ପରକୀୟା ପ୍ରୀତି କଲେ ତାହା ଦୋଷାବହ. ପୂର୍ବରୁ ଭାରତୀୟ ଦଣ୍ଡ ସଂହିତା ଧାରା 497 ଅନୁସାରେ ବିବାହିତ ପୁରୁଷଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆସିଲେ ତାଙ୍କୁ ଦଣ୍ଡିତ କରିବା ବ୍ୟବସ୍ଥା ଥିଲା. ମାତ୍ର ଏହି ଧାରାକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟ ପରକୀୟା ପ୍ରୀତିକୁ ପ୍ରୋତ୍ସାହିତ କରିବା ପରି ମନେ ହେଉଛି. ଅର୍ଥାତ ଉଭୟ ସ୍ବାମୀ ଓ ସ୍ତ୍ରୀ ଇଚ୍ଛା ଅନୁଯାୟୀ ପରକୀୟା ପ୍ରୀତିରେ ଲିପ୍ତ ରହିପାରିବେ. ଏହା ଆଇନ ସମ୍ମତ. ପରକୀୟା ପ୍ରୀତି ସଂପର୍କ ଆଧାରରେ ଛାଡପତ୍ର ଦେଇପାରିବେ. ମାତ୍ର ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ପାଇଁ ସୁପ୍ରିମକୋର୍ଟ ପରକୀୟା ପ୍ରୀତିକୁ ଆଇନସମ୍ମତ ନକରି ଦଣ୍ଡ ବିଧାନ କରିଥିଲେ କଣ ଅସୁବିଧା ହୋଇଥାନ୍ତା ? ବିବାହ ପରେ ଯଦି ପୁରୁଷ ଓ ସ୍ତ୍ରୀ ଅନ୍ୟ ସହ ଯୌନ ସଂପର୍କ ରଖିବାକୁ ଚାହାଁନ୍ତି, ତେବେ ପରସ୍ପରକୁ ଛାଡପତ୍ର ଦେବା ପରେ ଏହି କାର୍ଯ୍ୟ କରିପାରିବେ. କିନ୍ତୁ ଅନ୍ୟ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖୁଥିବା ପୁରୁଷଙ୍କୁ ଲଗାମ ଦେବା ପରିବର୍ତ୍ତେ ସୁପ୍ରିମକୋର୍ଟ ସ୍ତ୍ରୀଙ୍କୁ ମଧ୍ୟ ଅନୁମତି ଦେବା କେତେଦୂର ଯୁକ୍ତିଯୁକ୍ତ ? ଭାରତୀୟ ପରଂପରାରେ ସୁସ୍ଥ ପରିବାର ପାଇଁ ପରକୀୟା ପ୍ରୀତି ଦଣ୍ଡନୀୟ ହେବା ଆବଶ୍ୟକ. ସୁପ୍ରିମକୋର୍ଟଙ୍କ ଏହି ରାୟ ପାଶ୍ଚାତ୍ୟ ସଂସ୍କୃତିକୁ ଅନୁକରଣ କରିବା ପରି ମନେ ହେଉଛି. ଏଭଳି ରାୟ ଦେଇ ସୁପ୍ରିମକୋର୍ଟ ଦେଶର ପରଂପରାକୁ ଆଘାତ ଦେଇଛନ୍ତି. ପରକୀୟା ପ୍ରୀତିକୁ ଆଇନସମ୍ମତ କରିବା ଅର୍ଥ ଭାରତୀୟ ପରିବାରକୁ ଭାଙ୍ଗିବା ପାଇଁ ବାଟ ଖୋଲିଦେବା . ଏହାଦ୍ବାରା ପାଶ୍ଚାତ୍ୟ ଦେଶ ପରି ଆମ ଦେଶରେ ବି ବୈବାହିକ ସଂପର୍କ ଅସୁରକ୍ଷିତ ହୋଇଯିବ ଏବଂ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ଦେବା ସଂଖ୍ୟା ବଢିବା ଆରମ୍ଭ ହେବ. (ଅପୂର୍ବ କୁମାର ମହାନ୍ତି)