ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୧୨ଟି ବିଜେଡି ହାତେଇ ଥିବାବେଳେ ବିଜେପିକୁ ୮ଟି ଏବଂ କଂଗ୍ରେସକୁ ମିଳିଛି ମାତ୍ର ଗୋଟିଏ ଆସନ । ଭୁବନେଶ୍ୱର, ବରଗଡ଼, ସମ୍ବଲପୁର, ବାଲେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜେପି ଜିତିଥିବାବେଳେ କୋରାପୁଟ ଆସନ ହାତେଇଛି କଂଗ୍ରେସ । ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୨୩,୮୩୯ ଭୋଟ୍‌ରେ ହରାଇଛନ୍ତି। କଟକରେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜୟୀ ହୋଇଛନ୍ତି। ସେ ବିଜେପି ପାର୍ଥୀ ପ୍ରକାଶ ମିଶ୍ରଙ୍କୁ ୧,୨୧,୨୦୧ ଭୋଟ୍‌ରେ ହରାଇଛନ୍ତି।
ବ୍ରହ୍ମପୁରରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ବିଜୟୀ ହୋଇଛନ୍ତି। ବହୁ ଚର୍ଚ୍ଚିତ ବାଲେଶ୍ୱର ଲୋକସଭା ଆସନରେ ଏଥର ବାଜି ମାରିଛି ବିଜେପି। ଦଳୀୟ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଏଠାରେ ବିଜୟୀ ହୋଇଛନ୍ତି। ସେ ବିଜେଡି ପ୍ରାର୍ଥୀ ତଥା ସାଂସଦ ରବୀନ୍ଦ୍ର ଜେନାଙ୍କୁ ପରାସ୍ତ କରିଛନ୍ତି।

ସବୁଠାରୁ ଚର୍ଚ୍ଚାରେ ଥିବା ଆସିକା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ବିଜୟୀ ହୋଇଛନ୍ତି। ସେ ବିଜେପିର ଅନିତା ଶୁଭଦର୍ଶିନୀଙ୍କୁ ୨ ଲକ୍ଷ ୪ ହଜାର ୭୦୭ ଭୋଟ୍‌ରେ ପରାସ୍ତ କରିଛନ୍ତି। ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଏଥର ବି ବିଜୟୀ ହୋଇଛନ୍ତି। ସେ ବିଜେଡିର ସୁନୀତା ବିଶ୍ୱାଳଙ୍କୁ ୨ ଲକ୍ଷ ୨୩ ହଜାର ୦୬୫ ଭୋଟ୍‌ରେ ହରାଇଛନ୍ତି।

ସମ୍ୱଲପୁର ଲୋକସଭା ଆସନରେ ବାଜି ମାରିଛି ବିଜେପି। ଦେବଗଡ଼ରୁ ବିଧାୟକ ହୋଇଥିବା ନୀତେଶ ଗଙ୍ଗଦେବ ଏହି ଆସନରୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି। ବରଗଡ଼ ଲୋକସଭା ଆସନରୁ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ସୁରେଶ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬୩, ୯୩୯ ଭୋଟ୍‌ରେ ପରାସ୍ତ କରିଛନ୍ତି।

ପୁରୀ ଲୋକସଭା ଆସନରେ କଡ଼ା ଟକ୍କର ହୋଇଥିବା ବେଳେ ଶେଷରେ ବିଜେଡି ପ୍ରାର୍ଥୀ ତଥା ସାଂସଦ ପିନାକୀ ମିଶ୍ର ବିଜୟ ଟିକା ପିନ୍ଧିଛନ୍ତି । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ୧୧,୭୧୪ ଭୋଟ୍‌ରେ ହରାଇଛନ୍ତି। ଢେଙ୍କାନାଳ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ମହେଶ ସାହୁ ବିଜୟୀ ହୋଇଛନ୍ତି। ସେ ଏଥର ପ୍ରଥମ ଥର ଲୋକସଭା ନିର୍ବାଚନ ଲଢ଼ୁଥିଲେ। ସେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ରୁଦ୍ର ପାଣିଙ୍କୁ ପରାସ୍ତ କରିଛନ୍ତି।

ଭଦ୍ରକ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ବିଜୟୀ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ଅନୁଭବ ମହାନ୍ତି (ବିଜେଡି) ବିଜୟୀ ହୋଇଛନ୍ତି।
ଯାଜପୁରରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ବିଜୟୀ ହୋଇଛନ୍ତି। ସେ ବିଜେପି ଅମୀୟକାନ୍ତ ମଲ୍ଲିକଙ୍କୁ ୧,୦୧,୬୯୩ ଭୋଟ୍‌ରେ ହରାଇଛନ୍ତି।
ଜଗତସିଂହପୁରରେ ରାଜଶ୍ରୀ ମଲ୍ଲିକ (ବିଜେଡି), କନ୍ଧମାଳରେ ଅଚ୍ୟୁତ ସାମନ୍ତ (ବିଜେଡି) ବିଜୟୀ ହୋଇଛନ୍ତି।

କଳାହାଣ୍ଡି ଲୋକସଭା ଆସନରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଜୟୀ ହୋଇଛନ୍ତି। ଏଠାରେ ତାଙ୍କୁ କଡ଼ା ଟକ୍କର ଦେଉଥିଲେ ବିଜେଡିର ପୁଷ୍ପେନ୍ଦ୍ର ସିଂହ ଦେଓ ଏବଂ କଂଗ୍ରେସର ଭକ୍ତ ଦାସ। କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ ହୋଇଛନ୍ତି। ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ବିଜୟୀ ହୋଇଛନ୍ତି। ସେ ତାଙ୍କ ଦିଅର ତଥା ବିଜେଡି ପ୍ରାର୍ଥୀ କଳିକେଶ ସିଂହଦେଓଙ୍କୁ ପରାସ୍ତ କରିଛନ୍ତି। ଏହି ଆସନରେ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍‌କାଙ୍କୁ ୩,୬୧୩ ଭୋଟ୍‌ରେ ହରାଇଛନ୍ତି। ମୟୂରଭଞ୍ଜ ଆସନ ବିଜେପି ହାତକୁ ଯାଇଛି। ବିଶେଶ୍ୱର ଟୁଡୁ ଏଠାରେ ବିଜୟୀ ହୋଇଛନ୍ତି। ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ରମେଶ ମାଝୀ ବିଜୟୀ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here