ଜମି ମ୍ୟୁଟେସନ ପାଇଁ ଆରଆଇ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହୋଇଯାଇଥିଲେ ଶ୍ରୀମନ୍ତ କୁମାର ମଣ୍ଡଳ । ଜଗତସିଂପୁର ଜିଲ୍ଲା ଜପା ଆରଆଇ ସମୀର କୁମାର ମଲ୍ଲିକଙ୍କୁ ଯେତେ ଅନୁରୋଧ କଲେ ବି ସେ ଶୁଣି ନ ଥିଲେ । ରୋକଠୋକ୍ ବାବୁ କହିଦେଇଥିଲେ ଦଶ ହଜାର ଟଙ୍କା ଦେଲେ ଜମି ମ୍ୟୁଟେସନ ହେବ । ଶ୍ରୀମନ୍ତ କୌଣସିମତେ 5 ହଜାର ଟଙ୍କା ନେଇ ପହଞ୍ଚିଥିଲେ ଆରଆଇ ଅଫିସରେ । କିନ୍ତୁ ବାବୁ 10 ହଜାର ଟଙ୍କା ଦେବାକୁ ସିଧାସଲଖ କହିଦେଇଥିଲେ । ନ ହେଲେ ଅନ୍ୟରାସ୍ତା ଦେଖିବାକୁ ବି କହିଥିଲେ । ଶ୍ରୀମନ୍ତ କହିଥିଲେ, କୋଉଠୁ କିଛି ଧାର କରଜ କରି ଟଙ୍କା ଆଣିଦେବେ । ଆଜି ଶ୍ରୀମନ୍ତ ଟଙ୍କା ଯୋଗାଡ କରି ପହଞ୍ଚିଥିଲେ ଜପା ଆରଆଇ ଅଫିସରେ । ଆଉ ଆରଆଇ ସମୀର କୁମାର ମଲ୍ଲିକଙ୍କ ହାତରେ ଧରାଇ ଦେଇଥିଲେ ଦଶ ହଜାର ଟଙ୍କା । ଆଉ ପୂର୍ବରୁ ପ୍ରସ୍ତୁତ ଥିବା ଜିଲ୍ଲା ଭିଜିଲାନ୍ସ ଟିମ୍ ରାଜସ୍ୱ ନିରୀକ୍ଷକ ସମୀର କୁମାର ମଲ୍ଲିକଙ୍କୁ ଲାଞ୍ଚ ନେଉଥିବା ଅର୍ଥ ସହ ଗିରଫ କରିଛନ୍ତି । ତେବେ ଏହା ଏକ ଉଦ୍ଦେଶ୍ୟ ପ୍ରଣୋଦିତ ଘଟଣା ଏବଂ ତାଙ୍କୁ ଅଯଥାରେ ଫସାଇ ଦିଆଯାଇଛି ବୋଲି ନିଜ ସଫେଇ ଦେଇଛନ୍ତି ଗିରଫ ହୋଇଥିବା ଆରଆଇ ।