IMEC (ଇଣ୍ଡିଆ-ମିଡିଲ୍ ଇଷ୍ଟ ୟୁରୋପିଆନ୍ ଇକୋନୋମିକ କରିଡର) ବିଶ୍ୱର ବଦଳୁଥିବା ପରିସ୍ଥିତି ଏବଂ ସମୁଦ୍ର ମାର୍ଗରେ ବଢ଼ୁଥିବା ବିପଦ ମଧ୍ୟରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ବିକଳ୍ପ। ଏହା କେବଳ ବ୍ୟାପାରିକ ପ୍ରୋଜେକ୍ଟ ନୁହେଁ ଏହା ଜାତୀୟ ସୁରକ୍ଷା, ଆର୍ଥିକ ସ୍ଥିରତା ଏବଂ ଶକ୍ତି ସୁରକ୍ଷାର କବଚ ସଦୃଶ। ବଦଳୁଥିବା ସ୍ଥିତି ଏବଂ ମଧ୍ୟ-ପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ IMEC ଏକ ବଡ଼ ରଣନୈତିକ ବିକଳ୍ପ ଭାବେ ଠିଆ ହୋଇଛି। ନୂଆଦିଲ୍ଲୀ ସ୍ଥିତ ‘International Centre for Peace Studies’ ର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନର ଭୂ-ରାଜନୈତିକ ଅସ୍ଥିରତା ଭାରତ ପାଇଁ ଏକ ସୁଯୋଗ ଅଟେ। ଯାହାଦ୍ୱାରା ଏହି କରିଡରକୁ ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ। IMEC ଏକ ମଲ୍ଟିମୋଡାଲ୍ କନେକ୍ଟିଭିଟି କରିଡର, ଯାହା ସମୁଦ୍ର ଏବଂ ରେଳ ମାର୍ଗକୁ ଯୋଡ଼ି ଭାରତ, ମଧ୍ୟ-ପ୍ରାଚ୍ୟ ଓ ୟୁରୋପ ମଧ୍ୟରେ ଦ୍ରୁତ ଏବଂ ସୁରକ୍ଷିତ ସମ୍ପର୍କ ସ୍ଥାପନ କରିବ। ଏହି କରିଡରର ଦୁଇଟି ମୁଖ୍ୟ ଅଂଶ ରହିବ ପ୍ରଥମ ହେଲା ପୂର୍ବ କରିଡର ଯାହା ଭାରତରୁ ସମୁଦ୍ର ମାର୍ଗରେ UAE ପର୍ଯ୍ୟନ୍ତ। ଦ୍ୱିତୀୟରେ ପଶ୍ଚିମ କରିଡର ଯାହା UAEରୁ ରେଳ ନେଟୱାର୍କ ଜରିଆରେ ସାଉଦି ଆରବ, ଜର୍ଦ୍ଦାନ ଏବଂ ଇସ୍ରାଏଲ୍ ଦେଇ ୟୁରୋପ ପର୍ଯ୍ୟନ୍ତ। ଏହିପରି ଭାବେ ଏହା ସମୁଦ୍ର ଏବଂ ରେଳପଥର ଏକ ଆଧୁନିକ ହାଇବ୍ରିଡ୍ ନେଟୱାର୍କ ହେବ।
ରିପୋର୍ଟ୍ ଅନୁସାରେ, ବିଶ୍ୱର ପ୍ରମୁଖ ସମୁଦ୍ର ମାର୍ଗ, ବିଶେଷ କରି Hormuz ଏବଂ Bab-el-Mandeb ଏବେ ସୁରକ୍ଷିତ ନାହାନ୍ତି। Hormuz ଦେଇ ବିଶ୍ୱର ୨୦ ପ୍ରତିଶତ ତୈଳ ପରିବହନ ହେଉଥିବା ବେଳେ Bab-el-Mandeb ଦେଇ ଦୁନିଆର ପ୍ରାୟ ୧୦ ପ୍ରତିଶତ ତୈଳ ଏବଂ ୨୦ ପ୍ରତିଶତ ଇଣ୍ଟରନେଟ୍ ଟ୍ରାଫିକ୍ ଗତି କରିଥାଏ। ଯଦି ଏହି ସଙ୍କଟ ଗଭୀର ହୁଏ, ତାହାଲେ ଜାହାଜଗୁଡ଼ିକୁ ଆଫ୍ରିକା ଦେଇ ଲମ୍ବା ରାସ୍ତାରେ ଯିବାକୁ ପଡ଼ିଥାଏ। ଏହାଦ୍ୱାରା ଖର୍ଚ୍ଚ ଏବଂ ସମୟ ଉଭୟ ବଢ଼ିଯାଏ। ଭାରତର ପ୍ରାୟ ୯୫ ପ୍ରତିଶତ ବାଣିଜ୍ୟ ସମୁଦ୍ର ମାର୍ଗରେ ହେଉଥିବାରୁ ଏହି Chokepoint ଗୁଡ଼ିକରେ ବିପଦ ଭାରତୀୟ ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିଥାଏ ।
IMEC କୁ ଚୀନ୍ର BRIର ବିକଳ୍ପ ଭାବେ ଦେଖାଯାଉଛି। ଏହାଦ୍ୱାରା ଭାରତକୁ ବିଶ୍ୱ ବାଣିଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ମିଳିବ।IMEC କରିଡରର ଦ୍ୱାରା ଭାରତ-ୟୁରୋପ ବାଣିଜ୍ୟର ଏକ ନୂଆ ଢାଞ୍ଚା ପ୍ରସ୍ତୁତ କରିବ। ଏହା ଏକ ସୁପର କନେକ୍ଟିଭିଟି ନେଟୱାର୍କ ଅଟେ । ଯେଉଁଠାରେ ଜାହାଜ ଏବଂ ଟ୍ରେନ୍ ମିଶି ଭାରତରୁ ୟୁରୋପ ପର୍ଯ୍ୟନ୍ତ ସାମଗ୍ରୀ, ଶକ୍ତି ଏବଂ ଡାଟାକୁ ଦ୍ରୁତ, ସୁରକ୍ଷିତ ଓ ଶସ୍ତାରେ ପହଞ୍ଚାଇବେ। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାଇଲେ ଆଗାମୀ ସମୟରେ ଭାରତ ବିଶ୍ବ ବାଣିଜ୍ୟ ଓ ରଣନୀତିର ମୁଖ୍ୟ କେନ୍ଦ୍ର ଭାବେ ଉଭା ହେବ ।













