ସାମ୍ବାଦିକ ରାଜନୀତି ମୁହାଁ, ନା ରାଜନୀତି ସାମ୍ବାଦିକ ମୁହାଁ ?  ଏ ପ୍ରଶ୍ନ ଏବେ ଅନେକଙ୍କ ମନରେ ଉଠୁଥିବ. ଦୁଇ ସପ୍ତାହ ତଳେ ଟିଭି ଚ୍ୟାନେଲରେ ଦୀର୍ଘଦିନ ଧରି ସାମ୍ବାଦିକତା କରୁଥିବା ସତ୍ୟ ପ୍ରକାଶ ନାୟକ କଂଗ୍ରେସରେ ଯୋଗ ଦେଲେ. ଦଳ ତାଙ୍କୁ ମିଡିଆ ମୁଖ୍ୟ ଦାୟିତ୍ବ ଦେଇଛି. ସେମିତି ପୂର୍ବରୁ ଟିଭି ଚାନେଲରୁ ସାମ୍ବାଦିକତା ଛାଡି ପରଦା ଅନ୍ତରାଳରେ ରହି ରାଜନୀତି କରୁଥିବା ସତ୍ୟଜିତ ବିମଳ ମିଶ୍ରଙ୍କୁ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି. ସତ୍ୟପ୍ରକାଶ ଓ ସତ୍ୟଜିତ ଉଭୟ ଟିଭି ଚାନେଲରେ ସାମ୍ବାଦିକତା କରୁଥିଲେ ଏବଂ ଏବେ ଦୁଇଟି ମୁଖ୍ୟ ରାଜନୀତିକ ଦଳର ମୁଖପାତ୍ର. ଏ ଦୁଇ ବରିଷ୍ଠ ସାମ୍ବାଦିକଙ୍କୁ ବାଦ୍ ଦେଲେ ଆଉ କିଛି ସାମ୍ବାଦିକ ବି ରାଜନୀତିରେ ପାଦ ରଖିବାକୁ ପାଇପଲାଇନରେ ଅଛନ୍ତି. ନ୍ୟୁଜ ସେଭେନ ଏଡିଡର ଅର୍ଦ୍ଦେନ୍ଦୁ ଦାସ 2014 ସାଧାରଣ ନିର୍ବାଚନରେ ବିଜେଡିରୁ ଜଟଣୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ଉଦ୍ୟମ କରୁଥିଲେ . ଏବେ ଯଦିଓ ସେ ଟିଭି ଚ୍ୟାନେଲରେ ସାମ୍ବାଦିକତା କରୁଛନ୍ତି, କିନ୍ତୁ ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ କରୁଛନ୍ତି. ଜଟଣୀ ନିର୍ବାଚନ ମଣ୍ଡଳିରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକସଂପର୍କ ବଢାଇବାରେ ଲାଗିଛନ୍ତି. ବିଭିନ୍ନ ସ୍ଥାନରେ ତାଙ୍କ ଫଟୋଥିବା ବ୍ୟାନର ବି ଦେଖାଯାଉଛି. ତୃତୀୟ ମହଲା ସହ ସଂପର୍କ ବୃଦ୍ଧି କରି ସେ ଏକପ୍ରକାର ତାଙ୍କ ଟିକଟ ଚୂଡାନ୍ତ କରିଥିବା ଶୁଣିବାକୁ ମିଳୁଛି. ଅତଏବ ରାଜନୀତି ଡଙ୍ଗାରେ ବସିବା ନିଶ୍ଚିତ ହୋଇଗଲେ ସେ ମଧ୍ୟ ସାମ୍ବାଦିକ ଡଙ୍ଗା ଛାଡିଦେବେ. ଏମାନଙ୍କ ବ୍ୟତୀତ ଏମାନଙ୍କ ପୂର୍ବରୁ ଆହୁରି ଅନେକ ସାମ୍ବାଦିକ ରାଜନୀତିକୁ ଆସିଛନ୍ତି. ସୁଲୋଚନା ଦାସ ସାମ୍ବାଦିକତା ଛାଡି ପ୍ରଥମେ କଂଗ୍ରେସ ଓ ପରେ ବିଜେଡିରେ ଯୋଗଦେଇ ଦଳୀୟ ସଂଗଠନରେ ନିଜ ସ୍ଥିତି ଦୃଢ କରିସାରିଲେଣି. ଏକଦା ସୁଲୋଚନା ଦାସ, ସତ୍ୟପ୍ରକାଶ ନାୟକ ଓ ଅର୍ଦ୍ଧେନ୍ଦୁ ଦାସ ଗୋଟିଏ ଟିଭି ଚ୍ୟାନେଲରେ କାମ କରୁଥିଲେ. ସାମ୍ବାଦିକତାରୁ ରାଜନୀତିର ପାଗ ଭିଡିବାକୁ ଯାଉଥିବା ଏହି ତିନିଜଣଙ୍କୁ ଦେଖି ଆହୁରି ଅନେକ ତରୁଣ ସାମ୍ବାଦିକ କ୍ଷମତାସୀନ ଦଳରୁ ଟିକଟ ପାଇବା ଲବିରେ ରହିଛନ୍ତି. ଯ଼ଦି ହିସାବ କରାଯାଏ, ତେବେ ଅନ୍ୟ ଦଳ ତୁଳନାରେ ବିଜେଡି ଡଙ୍ଗାରେ ବସି କ୍ଷମତା ମହୁ ଚାଖିବାକୁ ସାମ୍ବାଦିକଙ୍କ ବ୍ୟାକୁଳତା ଅଧିକ. କିଛି ଖବରକାଗଜ ସାମ୍ବାଦିକ ବି ବିଜେଡି ଡଙ୍ଗାରେ ବସିବା ପାଇଁ ଦୌଡରେ ଅଛନ୍ତି. କିଏ କେନ୍ଦ୍ରାପଡା ତ ଆଉ କିଏ ଯାଜପୁର ଜିଲ୍ଲାର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ଚକ୍କରରେ. ମାତ୍ର ଟିକଟ ପାଇବାର ଅନିଶ୍ଚିତତା ପାଇଁ ସେମାନେ ଏବେ ବି ସାମ୍ବାଦିକ. ଏ କଥା ନିଶ୍ଚିତ ଯ଼େ, ନିର୍ବାଚନ ସମୟ ଯେତିକି ପାଖେଇବ, ଆହୁରି ଅନେକ ସାମ୍ବାଦିକ ସେମାନଙ୍କ ତଥାକଥିତ ନିରପେକ୍ଷ ଭାବମୂର୍ତ୍ତି ଛାଡି ପକ୍ଷପାତ ରାଜନୀତି ଡଙ୍ଗାରେ ବସିବା ଆରମ୍ଭ କରିବେ. ଆମେ ସାମ୍ବାଦିକମାନଙ୍କୁ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ ଜାଣିଥିଲେ, ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମ୍ମାନ ଦେଇ ଆସୁଥିଲେ, ଅର୍ଥାତ ଅନ୍ୟ ତିନୋଟି ସ୍ତମ୍ଭରେ କିଛି ସ୍ଖଳନ ଘଟିଲେ ସାମ୍ବାଦିକମାନେ ସେମାନଙ୍କୁ ବାଟକୁ ଆଣିବା ପାଇଁ ଉଦ୍ୟମ କରିବା କଥା. କିନ୍ତୁ ମନେ ହେଉଛି ଜାଗ୍ରତ ପ୍ରହରୀଙ୍କ କ୍ଷମତା ମହୁ ଖାଇବାର ଲାଳସା ଏବେ ବହୁତ ବଢିଗଲାଣି. ନ ହେଲେ ନିରପେକ୍ଷ ସାମ୍ବାଦିକଟିଏ ପକ୍ଷପାତିଆ ଡଙ୍ଗାରେ ବସିବାକୁ ମନ ବଳାନ୍ତା କାହିଁକି ?

LEAVE A REPLY

Please enter your comment!
Please enter your name here