ଖୁବ ଶୀଘ୍ର ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ ଋଷଭ ପନ୍ତ ।ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଆହତ ହୋଇଥିଲେ । ତାଙ୍କ ପାଦରେ ଗୁରୁତର ଆଘାତ ଲାଗିଥିଲା । ଏହା ପରଠୁ ପନ୍ତ କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି । କିନ୍ତୁ ଏବେ ଭାରତୀୟ ଦଳରେ ତାଙ୍କର ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ପନ୍ତଙ୍କୁ ଭାରତୀୟ ଏ ଟିମରେ ସାମିଲ କରାଯାଇଛି ଏବଂ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ଚାରି ଦିବସୀୟ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲା ବେଙ୍ଗାଲୁରୁରେ ଅକ୍ଟୋବର ୩୦ରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୬ରୁ ଖେଳାଯିବ । ଏହା ପରେ ନଭେମ୍ବର ୧୪ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଏଥିପାଇଁ ଅକ୍ଟୋବର ଶେଷ ଆଡକୁ ଭାରତୀୟ ଦଳ ଘୋଷଣା କରାଯିବ । ଋଷଭ ପନ୍ତ ପ୍ରଥମେ ଅକ୍ଟୋବର ୨୫ରେ ଦିଲ୍ଲୀ ପାଇଁ ରଣଜୀ ମ୍ୟାଚ୍ ଖେଳିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଥିବାରୁ ସେ ଏହି ମ୍ୟାଚ୍ ଖେଳିବେ ନାହିଁ । ଏହି ମ୍ୟାଚରେ ପନ୍ତଙ୍କୁ ନିଜର ଫିଟନେସ୍ ସାବ୍ୟସ୍ତ କରିବାକୁ ପଡିବ । ଆଉ ଗୋଟିଏ କଥା ସ୍ପଷ୍ଟ ହୋଇ ସାରିଛି ଯେ, ମହମ୍ମଦ ଶାମିଙ୍କୁ ଚୟନକର୍ତ୍ତା ଟେଷ୍ଟ ଦଳରେ ଦେଖିବାକୁ ଚାହୁଁ ନାହାନ୍ତି । କାରଣ ସେ ଫିଟ୍ ଥିଲେ ମଧ୍ୟ ତାଙ୍କୁ ଟିମ୍ ଇଣ୍ଡିଆ ଏ ଟିମରେ ସାମିଲ୍ କରାଯାଇ ନାହିଁ । ଏହାକୁ ନେଇ ସବୁଆଡେ ଖୁବ୍ ବିତର୍କ ଦେଖିବାକୁ ମିଳିଛି ।













