ପଛୁଆ ଗାଁର ଆଗୁଆ ଝିଅ ପ୍ରଭାତି ଝୁଡିଆ । ଝୋଡିଆ ସମ୍ପ୍ରଦାୟର ପ୍ରଭାତି ନାରୀ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ ସେ ପାଇଛନ୍ତି ଓଏଏସ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ପୁହୁଣ୍ଡି ଅଞ୍ଚଳର ମୁଳ ବାସିନ୍ଦା ହେଉଛନ୍ତି ପ୍ରଭାତି ଝୁଡିଆ । ଓଏଏସ (ଓଡିଶା ପ୍ରଶାସନିକ ସେବା) ପାଇବା ପରେ ନିଜ ଗାଁରେ ଖେଳିଯାଇଛି ଖୁସିରେ ଲହରୀ ।
ଓଡିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ବାହାରିଥିବା ବିଗ୍ୟପ୍ତି ଅନୁସାରେ ୧୦୬ ଜଣ ଓଏଏସ ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଭାତୀଙ୍କ ସ୍ଥାନ ୭୬ ନମ୍ବରରେ ରହିଥିବାବେଳେ ଏସଟି ଓମେନ୍ସରେ ୨ନମ୍ବର ର୍ୟାଙ୍କ ରହିଥିବା ଜଣାଯାଇଛି । ପ୍ରଭାତୀଙ୍କ ପିତା ମଙ୍ଗଳ ଝୋଡିଆ କୋରାପୁଟରେ ସରକାରୀ ଚାକିରୀ କରି ଅବସରଗ୍ରହଣ କରିଥିବାବେଳେ ମା କୁମୁଦିୁନି ଝୋଡିଆ ଜଣେ ଗୃହିଣୀ । ପ୍ରଭାତିଙ୍କ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ରାୟଗଡାରେ କଟିଥିଲା । କୋରାପୁଟ ଡିଏଭି କଲେଜରେ ସେ କଲେଜ ପାଠ ପଢିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଅଧ୍ୟାପନା ସହ ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରି ସେ ସଫଳତା ପାଇଛନ୍ତି ବୋଲି କହିଛନ୍ତି । ଘରେ ଚାରି ଭଉଣୀ ଓ ଦୁଇ ଭାଇ ଥିବାବେଳେ ଝିଅଙ୍କ ମଧ୍ୟରେ ପ୍ରଭାତୀଙ୍କ ସ୍ଥାନ ତୃତୀୟ ।
ସେହିପରି ମାଲକାନଗିରି ଜିଲ୍ଲାର ସନ୍ଧ୍ୟା ସମରଥ ଓଏଏସର ପାଶ କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ । ମାଲକାନଗିରି ମାଥିଲି ବ୍ଲକର ମାଓପ୍ରବଣ ସାଲିମି ଗାଁର ରାମଦେବ ସମରଥଙ୍କ ବଡ ଝିଅ ସନ୍ଧ୍ୟା ସମରଥ । ଦିନେ ଏହି ଗାଁରେ ପାଠପଢିବା ଓ ବିଭିନ୍ନ ଜ୍ଞାନ ଆହରଣ କରିବାକୁ ମାଓବାଦୀ ସୁଯୋଗ ଦେଉନଥିଲେ । ପ୍ରତିକୁଳ ପରିବେଶ ଭିତରେ ବିନା କୋଚିଂରେ ଓଏଏସରେ ସଫଳତା ହାସଲ କରି ପଛୁଆ ଅଞ୍ଚଳର ଝିଅଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ୨୦୧୭ ପରୀକ୍ଷାଫଳ ପ୍ରକାଶ ପାଇଛି । ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ୍‌ ୧୦୬ ଜଣଙ୍କୁ କାଟାଗୋରୀ-୧, ୨ ସେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି । ଟପ୍ପର ହୋଇଛନ୍ତି ଆୟୂଷୀ ମହାପାତ୍ର, ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସଞ୍ଜିତା ମହାପାତ୍ର ଓ ତୃତୀୟ ସ୍ଥାନରେ ରହିଛନ୍ତି ପୁନମ୍‌ ମହାପାତ୍ର । ପ୍ରଥମ ୧୦ଜଣଙ୍କ ମଧ୍ୟରେ ୫ଜଣ ମହିଳା ରହିଥିବା ବେଳେ ୧୦୬ ଜଣଙ୍କ ମଧ୍ୟରେ ୪୨ ମହିଳା ରହିଛନ୍ତି ।

LEAVE A REPLY

Please enter your comment!
Please enter your name here