ଚତୁର୍ଥ ଟେଷ୍ଟରେ ଭାରତର ଇନିଂସ ବିଜୟ । ଆଜି ତୃତୀୟ ଦିନରେ ଇଂଲଣ୍ଡ କୁ ୧ ଇନିଂସ ୨୫ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୩୫ ରନରେ ଅଲଆଉଟ ହୋଇଯାଇଛି । ଏହି ବିଜୟ ସହ ଭାରତ ଦ୍ୱିତୀୟ ଦଳ ଭାବେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଭାରତର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ହେବ। ଇଂଲଣ୍ଡର ୨୦୫ ରନ୍ ଜବାବରେ ଭାରତ ପ୍ରଥମ ଇନିଂସରେ ୩୬୫ ରନରେ ଅଲଆଉଟ୍ ହୋଇ ୧୬୦ ରନର ବଡ଼ ଅଗ୍ରଣୀ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ପିନ୍ ଆଗରେ ମୁଣ୍ଡ ନୂଆଁଇଥିଲା ଇଂଲଣ୍ଡ। ଯାହା ଫଳରେ ଇଂଲିଶ ଟିମ୍ ଦ୍ୱିତୀୟ ଇନିଂସରେ ମାତ୍ର ୧୩୫ ରନରେ ଅଲଆଉଟ୍ ହୋଇଯାଇଛି। ଭାରତ ପକ୍ଷରୁ ଅକ୍ଷର ୪୮ ରନ୍ ଦେଇ ୫ଟି ଓ ଅଶ୍ୱିନ୍ ୪୭ ରନ୍ ଦେଇ ୫ଟି ୱିକେଟ୍ ନେଇଛନ୍ତି। ଇଂଲଣ୍ଡର ଟପ୍ ସ୍କୋରର ଥିଲେ ଡାନ୍ ଲରେନ୍ସ, ଯିଏ ୫୦ ରନର ଇନିଂସ୍ ଖେଳିଛନ୍ତି।