ଏସିଆ କପ୍ 2018ର ସୁପର-4 ମୁକାବିଲାରେ ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ. ତେବେ ଏହି ଟିମ୍ ଗତ ବୁଧବାର ଦିନ ଏକ ମ୍ୟାଚ୍ ଖେଳିସାରିଛନ୍ତି. ଯେଉଁଥିରେ ଭାରତ ବିଜୟ ଲାଭ କରିଥିଲା. ଏହି 4 ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ. ଦୁବାଇରେ ଆଜି ଅପରାହ୍ନ 5ଟାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ.ତେବେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି. ଗତ ମ୍ୟାଚ୍ ରେ ଭାରତ ପାକିସ୍ତାନକୁ 8 ୱିକେଟ୍ ରେ ହରାଇଥିବାରୁ ଭାରତର ମନୋବଳ ଦୃଢ ରହିଛି. ମ୍ୟାଚ୍ ଜିତିଥିଲେ ମଧ୍ୟ ଭାରତ ପାକିସ୍ତାନକୁ ହାଲୁକା ଭାବେ ନେଇପାରିବ ନାହିଁ. ଗତ 3 ଟି ମ୍ୟାଚ୍ ରେ ବିଜୟୀ ହୋଇଥିବା ଭାରତୀୟ ଟିମ୍ ଏହି ମ୍ୟାଚ୍ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିବ. ଅନ୍ୟପଟେ ପାକିସ୍ତାନ ବୁଧବାର ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଆଜି ଭାରତକୁ ହରାଇବା ଉଦ୍ଦେଶ୍ୟରେ ରହିବ. ଏସିଆ କପ୍ରେ ପାକିସ୍ତାନକୁ ଭାରତ 7 ଥର ଏବଂ ଭାରତକୁ ପାକିସ୍ତାନ 5 ଥର ପରାସ୍ତ କରିଛି. ନବାଗତ ହଂକଂ ବିପକ୍ଷରେ ଭାରତ ଆଶ୍ଚର୍ଯ୍ୟଜନକ ଭାବେ ସଂଘର୍ଷ କରିଥିଲା. ହେଲେ ପାକିସ୍ତାନ ଏବଂ ବାଂଲାଦେଶ ବିପକ୍ଷରେ ସହଜ ବିଜୟ ହାସଲ କରିଥିଲା. ରବିବାର ପାକିସ୍ତାନ ଗତବର୍ଷର ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପ୍ରଦର୍ଶନକୁ ଦୋହରାଇବା ଆଶାରେ ଓହ୍ଲାଇବ. ଗତବର୍ଷ ଇଂଲଣ୍ଡରେ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇଥିଲା. ହେଲେ ଫାଇନାଲରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା. ବିରାଟ କୋହଲି ଅନୁପସ୍ଥିତ ଥାଇ ମଧ୍ୟ ଭାରତ ଗତ ଦୁଇଟି ମ୍ୟାଚ୍ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଅପକ୍ଷାକୃତ ଭଲ କରିଛି. ଶିଖର ଧାଓ୍ଵନ ଓ ଅଧିନାୟକ ରୋହିତ ଶର୍ମା ଦୃଢ଼ ମୂଳଦୁଆ ପକାଇବା ପରେ ଅନ୍ୟ ଖେଳାଳୀମାନେ ମଧ୍ୟ ଆଶାଜନକ ଖେଳ ଖେଳିଛି. କେଦାର ଯାଦବ, ରବୀନ୍ଦ୍ର ଜାଡେଜା ଚମତ୍କାର ଖେଳ ଖେଳିଥିଲା ବେଳେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଶୁକ୍ରବାର ବେଶ୍ କିଛି ସମୟ କ୍ରିଜ୍ରେ ରହିଥିଲେ.ଯଶ୍ପ୍ରୀତ ବୁମରା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଗତ ମ୍ୟାଚ୍ ଭଳି ରବିବାର ମଧ୍ୟ ପାକ୍ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିବେ ବୋଲି ଆଶା କରାଯାଉଛି.