ଆଇସିସି ମହିଳା ବିଶ୍ବକପ୍ ପାଇଁ ଭାରତ ଆସିଥିବା ଅଷ୍ଟ୍ରେଲିଆ ମହିଳା ଦଳର ଦୁଇ ଖେଳାଳି ଇନ୍ଦୋରରେ ଅସଦାଚରଣ ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ, ଅକ୍ଟୋବର ୨୩ ଗୁରୁବାର ଦିନ ହୋଟେଲରୁ କାଫେକୁ ଯିବା ସମୟରେ କିଛି ଲୋକ ତାଙ୍କ ସହ ଅସଦାଚରଣ କରିଥିଲେ। ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ମହିଳା କ୍ରିକେଟର ଘଟଣା ହେବା ମାତ୍ରେ ତୁରନ୍ତ ଏମରଜେନ୍ସି ସୂଚନା ଦେଇଥିଲେ । ସୂଚନା ମିଳିବା ମାତ୍ରେ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଷ୍ଟ୍ରେଲିଆ ଦଳର ସୁରକ୍ଷା ପରିଚାଳକ ଡେନି ସିମନ୍ସ ଗୁରୁବାର ସନ୍ଧ୍ୟାରେ ଏମଆଇଜି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏଫଆଇଆର ରୁଜୁ କରିବା ସହ ବାଇକରେ ବସିଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି । ସବ ଇନ୍ସପେକ୍ଟର ନିଧି ରଘୁବଂଶୀ କହିଛନ୍ତି ଦୁଇ ମହିଳା କ୍ରିକେଟର ନିଜର ହୋଟେଲରୁ ବାହାରି କାଫେ ଯାଉଥିବା ସମୟରେ ବାଇକରେ ଯାଉଥିବା ଜଣେ ବ୍ୟକ୍ତି ଖେଳାଳିଙ୍କ ପିଛା କରିଥିଲା । ଆଉ ଦୁଇ କ୍ରିକେଟରଙ୍କ ମଧ୍ୟରୁ ଜଣକୁ ହୀନ ଉଦ୍ଦେଶ୍ୟରେ ଛୁଇଁ ଫେରାର ମାରିଥିଲା । ଦୁଇ ଖେଳାଳି ନିଜ ଟିମର ସୁରକ୍ଷା ଅଧିକାରୀ ଡେନି ସିମନ୍ସଙ୍କୁ କଲ୍ କରି ଘଟଣା ବିଷୟରେ ଅବଗତ କରାଇଥିଲେ । ସେ ସ୍ଥାନୀୟ ସୁରକ୍ଷା ସଂପର୍କ ଅଧିକାରୀଙ୍କ ସହ ଯୋଗାଯୋଗ କରି ଖେଳାଳିଙ୍କ ସହାୟତା ପାଇଁ ଏକ ଗାଡି ପଠାଇଥିଲେ ।ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ କମିଶନର ହିମାନୀ ମିଶ୍ର ଦୁଇ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଭେଟିଥିଲେ। ସେ ଦୁହିଁଜଣଙ୍କ ବୟାନ ରେକର୍ଡ କରିଥିଲେ ଏବଂ ଅଭିଯୁକ୍ତ ବିରୋଧରେ ଏଫଆଇଆର ରୁଜୁ କରିଥିଲେ। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଘଟଣା ସମୟରେ ଜଣେ ପଥଚାରୀ ସନ୍ଦିଗ୍ଧ ବାଇକର ନମ୍ବର ଲେଖି ନେଇଥିଲେ, ଯାହା ଆଧାରରେ ଅକିଲ ଖାନ ନାମକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅକିଲ ଖାନ ବିରୋଧରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି।

LEAVE A REPLY

Please enter your comment!
Please enter your name here