ଶେଷରେ ମୁଁହ ଖୋଲିଲେ ନବୀନ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ଆଜି ମୁଁହ ଖୋଲିଛନ୍ତି ନବୀନ ପଟ୍ଟନାୟକ। କେଉଁ କାରଣରୁ ଅରବିନ୍ଦଙ୍କୁ ନିଲମ୍ବନ କଲେ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ନବୀନ । ଅରବିନ୍ଦଙ୍କ ନାଁ ନ ନେଇ ନିଲମ୍ବନ ପଛର କାରଣ କହିଛନ୍ତି। ନବୀନ କହିଛନ୍ତି, ପାଟକୁରା ବାସୀଙ୍କ ପାଇଁ କାମ କରିବାକୁ ଜଣଙ୍କୁ ବିଶ୍ୱାସ କରି ଟିକେଟ୍ ଦେଇଥିଲି। ହେଲେ ପାଟକୁରାବାସୀ ହଇରାଣ ହରକତ ହେଉଥିବା ଜାଣିବାକୁ ପାଇଲି। ଯିଏ ଦଳରେ ରହି ଆପଣଙ୍କୁ ହଇରାଣ କରିବ ମୁଁ ତାକୁ ଦଳରୁ କାଢ଼ିଦିଏ। ତେଣୁ ପାଟକୁରାବାସୀଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ ବୋଲି ନବୀନ କହିଛନ୍ତି। କିଛି ଦିନ ତଳେ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ ପ୍ରଥମ କରି ଚଳିତ ନିର୍ବାଚନରେ ପାଟକୁରାରୁ ବିଜେଡି ଦଳରୁ ପାର୍ଥି ହୋଇ ନିର୍ବାଚିତ ହୋଇଥିଲେ। ଏନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା। ନିଲମ୍ବନ କରିବା ପରେ ବିଜେଡି ପକ୍ଷରୁ କୁହାଯାଇଥିଲା ଯେ ବିଶ୍ଵାସଘାତକତା କରିଥିଲେ ଅରବିନ୍ଦ। ନିଲମ୍ବନ ପରେ ଅରବିନ୍ଦ ମହାପାତ୍ର କହିଛନ୍ତି ଯେ, ସବୁ ଦିନ ମୋ ବିରୋଧରେ ନୂଆ ନୂଆ ଅଭିଯୋଗ ଶୁଣିବାକୁ ମିଳୁଛି,ଗୋଟିଏ କାଗଜ ଫର୍ଦ୍ଦରେ ସବୁ ଅଭିଯୋଗ ଲେଖିକି ଆଣନ୍ତୁ ଓ ମିଡିଆରେ ରଖନ୍ତୁ। ମୁଁ ସବୁ ଅଭିଯୋଗର ଉତ୍ତର ରଖିବି। ନବୀନଙ୍କ ସହ କଥା ହେବାକୁ ଚେଷ୍ଟା କରିବି, ତା ପରେ ଉତ୍ତର ରଖିବି। ସେ କୌଣସି ଷଡଯନ୍ତ୍ରରେ ସାମିଲ୍ ନାହାନ୍ତି ବୋଲି ମଧ୍ୟ କହିଛନ୍ତି।














