ଆଡିଲେଡ ଦିନିକିଆରେ ଭାରତର ରୋମାଞ୍ଜକର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ । ବିରାଟ କୋହଲିଙ୍କ ଦମଦାର ଶତକ(୧୦୪) ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଲଢୁଆ ଇନିଂସ ସାଙ୍ଗକୁ ଅନ୍ୟ ଭାରତୀୟ ବ୍ୟାଟସ୍ୟାନଙ୍କ ଉପଯୋଗୀ ଇନିଂସ ଦଳକୁ ବିଜୟର ସ୍ୱାଦ ଚଖାଇଛି । ଏହି ବିଜୟ ପରେ ସିରିଜ ଜିତିବା ନେଇ ଭାରତର ଆଶା ଉଜ୍ଜିବୀତ ରହିଛି ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା କଙ୍ଗାରୁ ଟିମ ସନ ମାର୍ଶଙ୍କ ଶତକ(୧୩୧) ବଳରେ ୫୦ ଓଭରରେ ୯ ୱିକେଟ ହରାଇ ୨୯୮ ରନ କରିଥିଲା । ଜବାବରେ ଭାରତ ରୋହିତ ଏବଂ ଶିଖରଙ୍କ ଯୋଡି ସହ ପଡିଆକୁ ଓହ୍ଲାଇ ଥିଲା । ରୋହିତ ଏବଂ ଶିଖର କ୍ରିଜରେ କିଛି ସମୟ ପାଇଁ ଜମି ଆସିଥିଲେ । କିନ୍ତୁ ପ୍ରଥମ ୱିକେଟ ଭାବେ ଧାବନ ବ୍ୟକ୍ତିଗତ ୩୨ ରନ କରି ପାଭିଲିୟନ ଫେରିଥିଲେ । ଏହା ପରେ ରୋହିତ ମଧ୍ୟ ଅର୍ଧଶତକରୁ ବଂଚିତ ହୋଇ ୪୩ ରନରେ ଆଉଟ ହୋଇଥିଲେ । ପ୍ରଥମ ୱିକେଟ ପରେ କ୍ରିଜକୁ ଆସିଥିବା ଅଧିନାୟକ ବିରାଟ କିନ୍ତୁ କଙ୍ଗାରୁ ବୋଲରଙ୍କୁ ପ୍ରହାର କରିଥିଲେ । ତାଙ୍କ ସହ ଅମ୍ବତି ରାୟଡୁ ଭାରତର ସ୍କୋରକୁ ଆଗକୁ ନେଇଥିଲେ । ପରେ ରାୟଡୁ କ୍ୟାଚ ଆଉଟ ହୋଇଥିଲେ । ଏହା ପରେ କ୍ରିଜକୁ ଆସିଥିବା ଧୋନୀ ବିରାଟଙ୍କୁ ସାଥ ଦେଇଥିଲେ । ଶତକ କଲା ପରେ ବିରାଟ ଛକା ମାରିବା ଚକ୍କରରେ ୧୦୪ ରନ କରି ଆଉଟ ହୋଇଥିଲ । ଫଳରେ ମ୍ୟାଚରେ ରୋମାଂଚ ଆସି ଯାଇଥିଲା । କିନ୍ତୁ ଧୋନୀ ଦଳର ସ୍କୋରକୁ ଦିନେଶ କାର୍ତିକଙ୍କ ସହ ଶେଷ ଯାଏଁ ନେଇଥିଲେ । ସେ ୫୫ ରନ କରିଥିଲେ । ଫଳରେ ଭାରତ ୪୯.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଜାସନ ଭେଣ୍ଡ୍ରଫ, ମାର୍କସ ଷ୍ଟୋନସ ଏବଂ ଗ୍ଲେନ ମ୍ୟାକ୍ସୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ସେହିଭଳି ଭାରତ ତରଫରୁ ଭୁବନେଶ୍ୱର କୁମାର ସର୍ବାଧିକ ଚାରୋଟି ୱିକେଟ ହାସଲ କରିଥିବା ବେଳେ , ମହମ୍ମଦ ସାମି ତିନୋଟି ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here