ଏବେ ହିଂସା ପଥ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଫୁଲବାଣୀରେ ଆଜି ଚାରି ଜଣ ମାଓବାଦୀ ଫୁଲବାଣୀ ଏସପି ବି ସି ହରିଶଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦକ୍ଷିଣାଞ୍ଚଳ ଆଇ ଜି ନୀତି ଶେଖର ଏ ନେଇ ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ଅଟନ୍ତି । ସମସ୍ତେ ଛତିଶଗଡ଼ ରାଜ୍ୟର ମୂଳ ବାସିନ୍ଦା ଅଟନ୍ତି । ସେମାନେ ହେଲେ ବନ୍ଦୀ ମାଡ଼ବୀ (୨୨),ମୁଚାକୀ ମାସେ (୨୩),ଚୋମାଲି କୁଞ୍ଜମ୍ (୨୧) ଏବଂ ଗଙ୍ଗା କୁଞ୍ଜମୀ (୨୪) ଅଟନ୍ତି । ସେହିପରି ସମସ୍ତେ ଗୋଟିଏ ୨ଟି ୩୦୩ ରାଇଫଲ୍,୧୨ ବୋର୍ ଗନ୍ ଗୋଟିଏ,ଏସ୍ଏଲ୍ଆର୍ ରାଇଫଲ୍, ବିଭିନ୍ନ ରାଇଫଲର ୪୨ ରାଉଣ୍ଡ ଗୁଳି, ତାର, ରଶି, ମାଓ ପୁସ୍ତିକା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ରାଜ୍ୟ ସରକାରଙ୍କ ବାରମ୍ବାର ଆହ୍ୱାନ ପରେ ମାଓବାଦମାନେ ମୁଖ୍ୟ ସ୍ରୋତକୁ ଫେରୁଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତଙ୍କୁ ମୋଟ ୧୦ ଲକ୍ଷ ୩୦ ହଜାର ଆର୍ଥିକ ଅନୁଦାନ, ୨୫ ହଜାର ଲେଖାଏଁ ଅନ୍ତରୀଣ ଆତ୍ମସମର୍ପଣ ଟଙ୍କା ଏବଂ ବିବାହ ପାଇଁ ୨୫ ହଜାର ଟଙ୍କା , ଅନ୍ତ୍ୟୋଦୟ ଗୃହ ଯୋଜନାରେ ବାସଗୃହ, ରାସନ କାର୍ଡ, ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଯୋଗାଇ ଦିଆଯିବ ।














