ଛତିଶଗଡ଼ ସୁକମା ଜିଲ୍ଲାରେ ଗୁରୁବାର ଏହି ଏନକାଉଣ୍ଟର୍ ହୋଇଛି । ଜଣେ ମହିଳାଙ୍କ ସହିତ ୩ ଜଣ ମାଓବାଦୀ ଆଜି ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଛନ୍ତି । ସୁକମାର ପୋଲିସ ଅଧୀକ୍ଷକ କିରଣ ଚବନ କହିଛନ୍ତି ଯେ ଗୋଲାପାଲି ଥାନା ଅଞ୍ଚଳର ଜଙ୍ଗଲ ପାହାଡ଼ ନିକଟରେ ସକାଳେ ମାଓବାଦୀ କ୍ୟାଡରଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିଥିଲା । ଜିଲ୍ଲା ରିଜର୍ଭ ଗାର୍ଡର ଏକ ଦଳ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜୋରଦାର ହୋଇଥିଲା ଏବଂ ଏଥିରେ ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନକାଉଣ୍ଟର ସ୍ଥଳରୁ ଏପର୍ଯ୍ୟନ୍ତ ଜଣେ ମହିଳାଙ୍କ ସମେତ ତିନି ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନକାଉଣ୍ଟର୍ ସ୍ଥଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଚଳିତ ବର୍ଷ ଛତିଶଗଡ଼ରେ ଏନକାଉଣ୍ଟରରେ ୨୮୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁକମା, ବିଜାପୁର ଏବଂ ଦାନ୍ତେୱାଡା ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରେ ୨୫୫ ଜଣଙ୍କୁ ନିପାତ କରାଯାଇଥିଲା ।














