ଭୁବନେଶ୍ୱର କିସ୍ ଛାତ୍ର ହତ୍ୟା ମାମଲାରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ନିଜ ଆଡ଼ୁ ମାମଲା କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ରାଜ୍ୟ ଗଣଶିକ୍ଷା ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ ଆୟୋଗ ଜବାବ ତଲବ କରିଛନ୍ତି । କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସମସ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।ଆଗାମୀ ଦିନରେ ଓଡ଼ିଶା ଆସି ତଦନ୍ତ କରିବେ ବୋଲି କହିଛନ୍ତି ଆୟୋଗ ସଦସ୍ୟ ଜେ ହୁସେନ୍ । ଏହା କିସ୍ ପାଇଁ କୌଣସି ନୂଆ କଥା ନୁହେଁ ବୋଲି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ସେ କହିଛନ୍ତି ଓଡ଼ିଶାରେ ଯେତେ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି ସେମାନଙ୍କର ସାମ୍ରାଜ୍ୟ ଅଛି । ସେମାନେ ସରକାରୀ ଜାଗା ଜବରଦଖଲ କରି ସଂସ୍ଥା ଚଲାଉଛନ୍ତି । ଏପରି ଅନେକ ଘଟଣା ଘଟୁଛି । ଆଗରୁ ଏପରି ହେଉଥିଲା, କିନ୍ତୁ ଏ ସରକାର ସେପରି କିଛି ହେବ ନାହିଁ । କିସ୍ କର୍ତ୍ତୃପକ୍ଷ ବିଜେଡ଼ି ଦଳର ସାଂସଦ ଥିବାରୁ ତାଙ୍କ ଦଳ ତାଙ୍କୁ ସୁରକ୍ଷା ଦେଉଥିଲା । ତେଣୁ ଏହି ମାମଲାରେ ତଦନ୍ତ ହେଲେ ସମସ୍ତ ଘଟଣା ପଦାକୁ ଆସିବ । ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଅଛନ୍ତି । ପୂର୍ବ ସରକାରରେ କେହି ମୁହଁ ଖୋଲି ପାରୁନଥିଲେ। ନୂଆ ସରକାରରେ ଅପରାଧ ହେଲେ ଲୋକଲୋଚନକୁ ଆସୁଛି । ସମସ୍ତେ ପଦାକୁ ଆଶୁଛନ୍ତି । ଶହେରୁ ୬୦ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦଣ୍ଡବିଧାନ କରୁଛନ୍ତି ବୋଲି କହିଛନ୍ତି ।













