କଟକରେ ଏବେ ବେଶ୍ ଜମୁଛି ବାଲିଯାତ୍ରା । ବାଲିଯାତ୍ରା ପାଇଁ କଟକରେ ପ୍ରବଳ ଗହଳି ଚହଳି ଦେଖିବାକୁ ମିଳିଛୁ । ଖାଲି କଟକ ନୁହେଁ ପାରାଦୀପର କଳିଙ୍ଗ ବାଲିଯାତ୍ରା ମଧ୍ୟ ବେଶ ଜମୁଛି । ବାଲିଯାତ୍ରା ଯେତେ ସରି ସରି ଆସୁଛି ଲୋକଙ୍କ ଗହଳି ସେତିକି ବଢିବାରେ ଲାଗିଛି । ତେବେ ଆପଣଙ୍କୁ ଆମେ ଆଜି କେନ୍ଦ୍ରାପଡାର ଗୋବରିପଠା ବାଲିଯାତ୍ରା ବୁଲାଇନେବୁ । ୭ଦିନ ଧରି କେନ୍ଦ୍ରାପଡାରେ ଚାଲେ ଏହି ବାଲିଯାତ୍ରା ମହୋତ୍ସବ । ତେବେ ଚଳିତ ବାଲିଯାତ୍ରାରେ ଭଳିକି ଭଳି ଦୋଳି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ବାଲିଯାତ୍ରା ପଡିଆରେ ଡ୍ରାଗନ, ଚକ୍ରି, ବ୍ରେକଡ୍ୟାନ୍ସ, ବୋର୍ଟ ଓ ଟ୍ରେନ ପ୍ରଭୃତି ଦୋଳିର ମଜା ନେଉଛନ୍ତି ଲୋକେ । ଖାଲି ଦୋଳି ନୁହେଁ ବିଭିନ୍ନ ଚଟପଟି ଖାଦ୍ୟର ମଧ୍ୟ ମଜା ନେଉଛନ୍ତି । ବିଭିନ୍ନ ପ୍ରକାରର ହସ୍ତଶିଳ୍ପୀ ସାମଗ୍ରୀର ପ୍ରଦର୍ଶନୀ ମଧ୍ୟ କରାଯାଇଛି । ଲୋପ ପାଇଯାଉଥିବା ଲୋକନୃତ୍ୟ ଚିତ୍ରକଳା ମଧ୍ୟ ଏଠାରେ ପ୍ରଦର୍ଶିତ ହେଉଛି । ତେବେ କେନ୍ଦ୍ରାପଡାର ସାମାଜିକ ସହିତ ଜଡିତ ପାଲା ଦାଶକାଠିଆ, କେନ୍ଦେରା କୀର୍ତ୍ତନ ଆଦି ପରିବେଶଣ ଦର୍ଶକଙ୍କ ମନ ମୋହିଛି । କେନ୍ଦ୍ରାପଡା ସହର ପଟରୁ ନଦୀ ପାର ହୋଇ ବାଲିଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବୋଟ୍ର ବ୍ୟବସ୍ଥା କରିଛନ୍ତି । ସଂନ୍ଧ୍ୟା ହେଲେ କେନ୍ଦ୍ରାପଡା ବାଲିଯାତ୍ରା ପଡିଆରେ ଜମିଯାଏ ଲୋକଙ୍କ ଭିଡ ।

LEAVE A REPLY

Please enter your comment!
Please enter your name here