ଝିଅଟିଏ ଜନ୍ମ ହେଲେ ବାପା ମାଆଙ୍କର ଚିନ୍ତା ବଢିଯାଏ । କେହି କେହି ଝିଅଟିକୁ ବୋଝ ବୋଲି ଭାବନ୍ତି । ପୁଅଙ୍କ ତୁଳନାରେ ଝିଅଙ୍କୁ ସମାନ ନଜରରେ ଦେଖାଯାଏନି । ଯଦିଓ ଆଜି ଦିନରେ ଝିଅମାନେ ସବୁ କ୍ଷେତ୍ରରେ ପୁଅଙ୍କଠୁ ଆଗରେ । ତା ସତ୍ତ୍ବେ ବି ଝିଅଙ୍କ ପାଇଁ ଆମ ସମାଜରେ ସବୁ କଟକଣା । ପୁଅଟିକୁ ଯେତିକି ସ୍ବାଧୀନତା ମିଳେ, ଝିଅଟିକୁ ସେତିକି ସ୍ବାଧୀନତା ମିଳେନି । ବାହା ହେବା ଆଗରୁ ବାପା, ମା, ଭାଇ ଆକଟ କରନ୍ତି । ବାହା ହେବା ପରେ ସ୍ବାମୀଙ୍କ ଆଜ୍ଞାଧୀନା । ବାହାରକୁ ଆମେ ଯେତେ ଦେଖେଇ ହେଲେ ବି ଏବଂ ଝିଅମାନ ଯେତେ ଆଡଭାନ୍ସ ହେଲେ ବି କୋଉଠି ନା କୋଉଠି ସେମାନଙ୍କୁ ଲିଙ୍ଗଗତ ଦୃଷ୍ଟିରୁ ଅସମାନତାର ସାମନା କରିବାକୁ ହୁଏ । ବାହାରକୁ ବାହାରିଲେ ପାଦେ ପାଦେ ବିପଦର ଆଶଙ୍କା ଥାଏ । ପୁଅଟିଏ ଘରକୁ ଫେରିବା ବିଳମ୍ବ ହେଲେ ବାପାମା ଚିନ୍ତା କରନ୍ତିନି । ମାତ୍ର ଝିଅଟି ଯଦି କୌଣସି କାରଣରୁ ଘରକୁ ଫେରିବା ବିଳମ୍ବ କରେ, ତା ହେଲେ ଘରେ ଚିନ୍ତା ବଢିଯାଏ । ଏଇଥିପାଇଁ ଚିନ୍ତା ବଢିଯାଏ ଯେ, ପୁଅ ତୁଳନାରେ ଝିଅଟି ଅସୁରକ୍ଷିତ । ମାତ୍ର କଣ ପାଇଁ ..
କାହିଁକି ଝିଅଟିଏ ଏକା ଏକା ରାସ୍ତାରେ ଯିବାକୁ ଭୟ କରେ, କାହିଁକି ଝିଅଟିଏ ମୁକ୍ତ ଭାବେ ବୁଲିବାକୁ ନିରାପଦ ମନେ କରେନି, କାହିଁକି ପୁଅଙ୍କ ଭଳି ଝିଅଟିଏ ନିଜ ଅଧିକାର ସାବ୍ୟସ୍ତ କରିପାରେନି..
ଏଇଥିପାଇଁ ଯେ ଝିଅଙ୍କ ପ୍ରତି ଅଧିକାଁଶ ପୁରୁଷଙ୍କ ନଜର ଭିନ୍ନ । ଏକାକୀ ଝିଅଟିକୁ ଦେଖିଲେ ସେମାନେ ତାକୁ ମଣିଷ ନୁହେଁ, ଯେମିତି ଶିକାର ବୋଲି ଭାବି ନିଅନ୍ତି । ଏଭଳି କୁତ୍ସିତ ମାନସିକତା କଣ ପାଇଁ.. ବର୍ଷ ବର୍ଷ ଧରି କାହିଁକି ଝିଅଟିଏ ପ୍ରତି ଏଭଳି ମାନସିକତା ବଦଳୁନି..
ସାରା ଦେଶ ସେପ୍ଟେମ୍ବର ମାସ ଚତୁର୍ଥ ରବିବାରକୁ ଝିଅ ଦିବସ ବା ଡଟରସ୍ ଡେ ଭାବେ ପାଳନ କରୁଛି । ଇଣ୍ଟରନେଟ, ସୋସିଆଲ ମିଡିଆରେ ସୁନ୍ଦର ସୁନ୍ଦର ମେସେଜ୍ ଛାଇ ହୋଇଯାଇଛି । ଯେମିତି ଝିଅଟିଏ ପରିବାର ପାଇଁ ଟେନସନ୍ ନୁହେଁ, ବରଂ ଟେନ୍ ସନ୍ ଅର୍ଥାତ ଦଶଟି ପୁଅଙ୍କ ସାଙ୍ଗେ ସମାନ । ଝିଅଟି ପାଖରେ ଲୁଣ ଭଳି ଗୁଣ ରହିଛି, ଅର୍ଥାତ ତାର ଉପସ୍ଥିତିକୁ କେହି ଅନୁଭବ କରନ୍ତିନି, ମାତ୍ର ଅନୁପସ୍ଥିତିର ଅଭାବ ସମସ୍ତେ ଅନୁଭବ କରନ୍ତି । ଏକଥା ସତ, ଝିଅଟିଏ ନ ଥିଲେ ସବୁ ଯେମିତି ଖାରା ଖାରା ଲାଗେ, ସାଙ୍ଗସାଥୀ ହେଉ, ଅବା ପରିବାର…
ହାପି ଡଟରସ୍ ଡେ, ଝିଅକୁ ଭଲ ପାଆନ୍ତୁ, ସ୍ନେହ ବାଣ୍ଟନ୍ତୁ, ସେ ଯାହାର ଝିଅ ହେଉ, ତା ପ୍ରତି କୁତ୍ସିତ ମାନସିକତାରୁ ପୁରୁଷମାନେ ନିବୃତ୍ତ ହୁଅନ୍ତୁ…

LEAVE A REPLY

Please enter your comment!
Please enter your name here