ପୋଲିସ ଅଭିଯୋଗକୁ ଗୁରୁତ୍ବ ଦେଉନି । ଯାହାର ଭୟଙ୍କର ପରିଣାମ ଭୋଗିବାକୁ ପଡୁଛି ନାବାଳିକାଙ୍କ ପରିବାରକୁ । ଅନେକ କ୍ଷେତ୍ରରେ ପୋଲିସର ଅବହେଳା ପାଇଁ ନାବାଳିକାଟିଏ ଅତ୍ୟାଚାରିତ ହେବା ପରେ ଅକାଳରେ ଆଖି ବୁଜି ଦେଉଛି ।
କଟକ ସଦର ନିଆଳି ଥାନା ଅନ୍ତର୍ଗତ ନିଉଭରଣ କୋଠମୂଳ ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା । ଚାରିମାସ ତଳେ ଏହି ଗାଁର ଜଣେ ନାବାଳିକାକୁ ସେହି ଗାଁର ନଖିଆ ବେହେରା ପୁଅ ପବିନା ବେହେରା ଅପହରଣ କରିନେଇଥିଲା । ନାବାଳିକାର ପରିବାର ଲୋକେ ଥାନାର ଦ୍ବାରସ୍ଥ ହୋଇଥିଲେ । ମାତ୍ର ପୋଲିସ କଥାକୁ ଗୁରୁତ୍ବ ଦେଲାନି କି ନାବାଳିକାଙ୍କ ଖୋଜଖବର ନେଲାନି । ଅଭିଯୁକ୍ତର ପରିବାରକୁ ବି ପଚରାଉଚରା କଲାନି । ଏବେ କିଛିଦିନ ହେବ ପବିନା ଗାଁକୁ ଫେରି ରହୁଥିଲା । ନାବାଳିକାଙ୍କ ପରିବାର ଝିଅର ଖୋଜଖବର ନେବାକୁ ଚେଷ୍ଟା କରିଥିଲେ । ପଡୋଶୀଙ୍କଠୁ ଖବର ପାଇଥିଲେ ତାଙ୍କ ଝିଅକୁ ମାରି ପୋଡିଦେଇଛନ୍ତି ଅପହରଣକାରୀ ପବିନା ବେହେରାର ପରିବାର । ମଶାଣିକୁ ଯାଇ ଦେଖିବା ବେଳକୁ ଝିଅର ଶବ ପୋଡିସାରିଥିଲେ ଅପହରଣକାରୀ । କେଉଁଭଳି ପରିସ୍ଥିତିରେ ତାଙ୍କ ଝିଅର ମୃତ୍ୟୁ ହେଲା ଏବଂ ମୃତଦେହକୁ ସେମାନେ କାହିଁକି ପୋଡିଦେଲେ, ତାକୁ ନେଇ ଆପତ୍ତି ଉଠାଇଛନ୍ତି ନାବାଳିକାଙ୍କ ପରିବା । ସବୁ ସରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅପହରଣକାରୀ ପବିନା ବେହେରା ପରିବାର ଗାଁ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here