ଛତିଶଗଡ଼ ବିଜାପୁରରେ ବୁଧବାର ଏକ ବଡ଼ ଧରଣର ମାଓବାଦୀ ବିରୋଧୀ ଅପରେସନ୍ ଆରମ୍ଭ ହୋଇଛି । ଲାଲବାହିନୀ ସହିତ ସୁରକ୍ଷାବାହିନୀର ଘମାଘୋଟ ଗୁଳି ବିନିମୟ ହୋଇଛି। ଏଥିରେ ୧୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଯବାନ ସହିଦ ହୋଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି । ସହିଦ ଯବାନମାନେ ହେଲେ ଡିଆରଜିର ମୋନୁ ଭଡ଼ାଡି ଓ କନଷ୍ଟେବଳ ଡୁକାରୁ ଗୋଣ୍ଡେ ଏବଂ ଅନ୍ୟ ଜଣଙ୍କ ପରିଚୟ ମିଳି ପାରି ନାହିଁ, ଆଉ ଜଣେ ଡିଆରଜି ଯବାନ ସୋମଦେବ ଯାଦବ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯବାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ବିଜାପୁର ଦନ୍ତେୱାଡ଼ା ଜିଲ୍ଲା ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିବା ବସ୍ତର ପୋଲିସ ରେଞ୍ଜ ଆଇଜି ସୁନ୍ଦରରାଜ ପଟ୍ଟିଲିଙ୍ଗମ୍ ସୂଚନା ଦେଇଛନ୍ତି । ଆଜି ଦନ୍ତେୱାଡ଼ା ଏବଂ ବିଜାପୁରର ଡିଷ୍ଟ୍ରିକ୍‌ଟ ରିଜର୍ଭ ବାଟାଲିୟନ୍, ସ୍ପେଶାଲ୍ ଟାସ୍କ ଫୋର୍ସ, ରାଜ୍ୟ ପୋଲିସର ଦୁଇଟି ୟୁନିଟ୍ ଓ କୋବ୍ରା ବାହିନୀଙ୍କୁ ନେଇ ମିଳିତ ଅପରେସନ୍ କରାଯାଇଥିଲା । ଏହି ସମୟରେ ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣ ମୃତ ଦେହ ଜବତ ହୋଇଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ଛତିଶଗଡ଼ରେ ୨୭୦ ମାଓବାଦୀ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here