ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜୟୀଲାଭ କରିଥିବା ଜୟ ଢୋଲକିଆଙ୍କୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସଭାପତି ମନମୋହନ ସାମଲ ଜୟଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି । ଜୟ ଢୋଲକିଆ ଗଣମାଧ୍ୟମକୁ କହିଛନ୍ତି ” ବିଜୟ ପାଇଁ ନୂଆପଡ଼ାବାସୀଙ୍କୁ ଶ୍ରେୟ ଦେଉଛି । ସେହିପରି ରାଜ୍ୟ ବିଜେପି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ବିଜୟ । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏହା ନୂଆପଡ଼ାର ବିକାଶର ବିଜୟ । ଆଗାମୀ ଦିନରେ ନୂଆପଡ଼ାରେ ଥିବା ଅନେକ ସମସ୍ୟାର ସମାଧାନ କରିବି ବୋଲି ପ୍ରତିଶ୍ରୁତି ଦେଇଛି ।”ଏହା ସହିତ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ ବିରୋଧୀଙ୍କ କାମ ଏମିତି କହିବା । କିନ୍ତୁ ସେଥିରେ ତାଙ୍କୁ କିଛି ବି ଫରକ୍ ପଡ଼ିବ ନାହିଁ ବୋଲି କହିଛନ୍ତି । ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ ୮୩ ହଜାର ୭୪୮ ଖଣ୍ଡ ଭୋଟର ବୃହତ ବ୍ୟବଧାନ ସହିତ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ହରାଇଛନ୍ତି । ଜୟ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ରେକର୍ଡ ଭୋଟ୍ ସହିତ ବିଜୟଲାଭ କରିଛନ୍ତି ।













