ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ ପରେ ସାରା ଦେଶରେ ଏବେ ଆତଙ୍କ ଖେଳି ଯାଇଛି ।ଲାଲକିଲ୍ଲା ନିକଟରେ ମେଟ୍ରୋ ଷ୍ଟେସନ ଏକ ନମ୍ବର ଗେଟ୍ ନିକଟରେ ଏକ କାର୍ ବିସ୍ଫୋରଣ ହୋଇଛି । ଆଜି ସନ୍ଧ୍ୟା ପ୍ରାୟ ୬ ଟା ୫୨ ମିନିଟ୍ ସମୟରେ ଲାଲକିଲ୍ଲା ମେଟ୍ରୋ ଗେଟ୍ ନମ୍ବର ୧ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଧିରେ ଧିରେ ଯାଉଥିବା ଏକ ଇକୋ ଭ୍ୟାନରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାରେ ଆଶଙ୍କା କରାଯାଉଛି। ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବାବେଳେ ୨୪ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ପରେ ମୁମ୍ବାଇ, ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ପୁରୀ ଶ୍ରୀମନ୍ଦିର, ବଡ଼ ଦାଣ୍ଡ, ବେଳା ଭୂମି, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍, ଭୁବନେଶ୍ୱର ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ା କଡ଼ି କରାଯିବା ସହିତ ସମସ୍ତ ଥାନାର ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ପୁରୀ ଏସପି ସୂଚନା ଦେଇଛନ୍ତି ।













