ଦୀର୍ଘ ଚବିଶ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜନୈତିକ ପ୍ରତିଶୋଧ ଶୁଝେଇବା ପାଇଁ ସବୁ ଉଦ୍ୟମ ବିଫଳ ହେଲା । କେତେବେଳେ ଓଜିପି ତ ପୁଣି କେତେବେଳେ ବିଜେପି । ନବୀନଙ୍କ ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ରଣନୀତି । କିନ୍ତୁ ଗୋଟିଏ ସମୟରେ ଖୁବ୍ ଧୂରୀଣ ରାଜନୀତିଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିବା ବିଜେଡିର ପ୍ରମୁଖ ବିନ୍ଧାଣୀ ବିଜୟ ମହାପାତ୍ରଙ୍କ ସବୁ ବୁଦ୍ଧି, ଜ୍ଞାନ ନବୀନଙ୍କ ଲୋକପ୍ରିୟତା ଆଗରେ ଫେଲ୍ ମାରିଗଲା । 2000 ମସିହାରେ ନବୀନ ଟିକଟ ଦେଇ ଟିକଟ କାଟିଦେବା ପରଠୁ ଗୋଟିଏ ବି ନିର୍ବାଚନ ଜିତି ପାରିଲେନି ବିଜୟ । ରାଜନୈତିକ ପତିଆରାକୁ ନେଇ ନିଜ ଭିତରେ ଥିବା ସବୁ ଗର୍ବ, ଅହଂକାର ଚୁରମାର୍ ହୋଇଗଲା । ପୁଅ ଅରବିନ୍ଦର ରାଜନୈତିକ କ୍ୟାରିଅର୍ ପାଇଁ ବିଜେଡି ନିକଟରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ପଡିଲା । ଆଜି ଅରବିନ୍ଦ ମହାପାତ୍ର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ନେବା ପରେ ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିଲେ । ବିଜୁଙ୍କ ଏକାନ୍ତ ଅନୁଗତ ଥିବା ବିଜୟ ମହାପାତ୍ରଙ୍କ ଅବଦାନ ସଂପର୍କରେ ଦଳର ବରିଷ୍ଠ ନେତା ପ୍ରତାପ ଜେନା ସୂଚାଇ ଦେଇଥିଲେ । 2024 ନିର୍ବାଚନ ପୂର୍ବରୁ ଚାଲିଥିବା ମିଶ୍ରଣ ପର୍ବରେ ଅରବିନ୍ଦଙ୍କ ଯୋଗଦାନ କେନ୍ଦ୍ରାପଡା ରାଜନୀତିରେ ଅନେକ ଗୁରୁତ୍ବ ବହନ କରୁଛି ।

LEAVE A REPLY

Please enter your comment!
Please enter your name here