ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି। ସ୍ୱିସ୍ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ର ଫ୍ଲାଇଟ୍ LX147 ଟେକ୍-ଅଫ୍ ସମୟରେ ଖରାପ ହୋଇଯାଇଥିଲା, ଯାହା ପରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ତେବେ ପାଇଲଟଙ୍କ ସତର୍କତା ଯୋଗୁଁ ଠିକ୍ ସମୟରେ ଟେକ୍-ଅଫ୍ ବନ୍ଦ କରାଯାଇଥିଲା ଏବଂ ଯାହା ଫଳରେ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି ।ଅଧିକାରୀମାନେ ଜଣାଇଛନ୍ତି ଯେ ଏୟାରବସ୍ A330 ବିମାନ ସଂଖ୍ୟା LX147 ସକାଳ ୧:୦୮ ମିନିଟରେ ଉଡ଼ାଣ ଭରିବା ଆରମ୍ଭ କରିଥିଲା, ସେତେବେଳେ ହିଁ ଗୋଟିଏ ଇଞ୍ଜିନ ଫେଲ୍ ହୋଇ ନିଆଁ ଲାଗିଯାଇଥିଲା। ବିମାନର ସମସ୍ତ କ୍ରୁ ମେମ୍ବର ସୁରକ୍ଷିତ ଅଛନ୍ତି। ବିମାନରେ ମୋଟ ୨୨୮ ଜଣ ଯାତ୍ରୀ ଏବଂ ୪ ଜଣ ଶିଶୁ ଥିଲେ। ସୂଚନା ଅନୁଯାୟୀ ଦିଲ୍ଲୀରୁ ଜୁରିକ୍ ଯିବା ପାଇଁ ପ୍ରସ୍ତୁତ ଥିବା ସ୍ୱିସ୍ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଫ୍ଲାଇଟ୍ LX147 ରନ୍ୱେରେ ଟେକ୍-ଅଫ୍ ପ୍ରକ୍ରିୟାରେ ଥିଲା। ସେହି ସମୟରେ ବିମାନର ଗୋଟିଏ ଇଞ୍ଜିନରେ ତ୍ରୁଟି ଦେଖାଦେଲା ଏବଂ ନିଆଁ ଲାଗିଗଲା। ପରିସ୍ଥିତିକୁ ଗମ୍ଭୀର ଦେଖି ପାଇଲଟ୍ ତୁରନ୍ତ ଟେକ୍-ଅଫ୍ ବାତିଲ୍ କରିଥିଲେ ଏବଂ Emergency Evacuation କରିଥିଲେ। ଏହି ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି। ଘଟଣା ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଏମର୍ଜେନ୍ସି ସ୍ଲାଇଡ୍ ମାଧ୍ୟମରେ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଏହି ସମୟରେ ସାମାନ୍ୟ ଆତଙ୍କ ସୃଷ୍ଟି ହୋଇଥିଲା, କିନ୍ତୁ କ୍ରୁ ମେମ୍ବରମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।













