ଧଉଳି ନିକଟରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୧୧ ତାରିଖରେ ନାବାଳିକା ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ ,ତାଙ୍କୁ ପାଞ୍ଚ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଧଉଳିରୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ପୁରୁଷ ବନ୍ଧୁ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉଭୟଙ୍କୁ ଏକ ଅନ୍ଧାରିଆ ନଦୀ ପଠାକୁ ଟାଣି ନେଇଥିଲେ। ସେଠାରେ ଦୁର୍ବୃତ୍ତମାନେ ପୁରୁଷ ବନ୍ଧୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ପଥରରେ ଛେଚି ରକ୍ତାକ୍ତ କରିଦେଇଥିଲେ। ନାବାଳିକା ଜଣକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଦୁଇଜଣ ଅଭିଯୁକ୍ତ ତାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ। ଏବଂ ଏହି ଦୃର୍ବୁତ୍ତମାନେ ଦୁଷ୍କର୍ମ ସମୟର ଭିଡିଓ ଏବଂ ଫଟୋ ନିଜ ମୋବାଇଲରେ କରିଥିଲେ ଏବଂ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ସମେତ ମୋଟ ୫ ଜଣ ଉପସ୍ଥିତ ଥିବା ଜଣାପଡିଛି।ପୁଲିସ ନାବାଳିକାର ଡାକ୍ତରୀ ପରୀକ୍ଷା କରାଇବା ସହ ବିଏନ୍ଏସ୍ଏସ୍-୧୮୩, ବିଏନ୍ଏସ୍ଏସ୍-୧୮୦ରେ ନାବାଳିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ କରିଛି। ଜୁଡିସିଆଲ ମାଜିଷ୍ଟ୍ରେଟ ଫାର୍ଷ୍ଟ କ୍ଲାସରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ବୟାନ ରେକର୍ଡ ହୋଇଛି। ଏପର୍ଯ୍ୟନ୍ତ ଘଟଣାରେ କମିଶନରେଟ୍ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି ଓ ଦୁଇ ଜଣ ଫେରାର ଅଛନ୍ତି। ଏବେ ରାଜ୍ୟ ମହିଳା କମିଶନର ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେମାନେ ଧଉଳି ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥାର ସମୀକ୍ଷା କରିଛନ୍ତି। କମିଶନ ଅଧିକାରୀମାନଙ୍କୁ ତ୍ୱରିତ ନ୍ୟାୟ ଏବଂ ଉପଯୁକ୍ତ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।













