ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବିଷାକ୍ତ ମଦ ପିଇ ଅତିକମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖବର ଅନୁଯାୟୀ, ଶନିବାର ରାତିରେ ଘୂଘର, ନଓରାଜ ଓ ବାରାଜ ଗ୍ରାମର କିଛି ଲୋକ ମଦ ପିଇବାର କିଛି ସମୟ ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ପ୍ରବଳ ବାନ୍ତି ହେବା ସହ ଶରୀର ଅବଶ ହୋଇଯାଇଥିଲା। ପରିବାର ଲୋକେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ୯ ଜଣଙ୍କର ପ୍ରାଣହାନି ଘଟିଥିଲା । ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆଉ କିଛି ବ୍ୟକ୍ତିଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି, ଯାହାଫଳରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଏହି ଘଟଣା ପରେ ପୋଲିସ ଓ ଜିଲ୍ଲା ପ୍ରଶାସନ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ଥାନୀୟ ଅଞ୍ଚଳରୁ ମଦର ନମୁନା ସଂଗ୍ରହ କରି ଫୋରେନ୍ସିକ୍ ପରୀକ୍ଷା ପାଇଁ ପଠାଇଛି। ବ୍ୟବଚ୍ଛେଦ ଓ ଫୋରେନ୍ସିକ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଏବଂ ମଦରେ କେଉଁ ବିଷାକ୍ତ ଦ୍ରବ୍ୟ ମିଶ୍ରିତ ଥିଲା, ତାହା ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଥାଉ ଯେ, ଗତ ମାସରେ ଗୁଜରାଟର ଭାବନଗରରେ ମଧ୍ୟ ସମାନ ଧରଣର ବିଷାକ୍ତ ମଦ ପିଇ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଠାରେ ଏକ ନାମୀ ମଦ ବ୍ରାଣ୍ଡର ବୋତଲରେ ଅତ୍ୟାଧିକ ବିଷାକ୍ତ ମିଥାନୋଲ୍ ମିଶାଇ ନକଲି ମଦ ବିକ୍ରି କରାଯାଉଥିବା ତଦନ୍ତରୁ ଜଣାପଡ଼ିଥିଲା।

LEAVE A REPLY

Please enter your comment!
Please enter your name here