ବେଗୁନିଆରେ ଗୁଣ୍ଡାଗିରି କରି ଚର୍ଚ୍ଚାକୁ ଆସିଥିବା ମାନସ ଦାସର ସାରଥୀ ଷ୍ଟାଇଲ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଶହ ଶହ ଲୋକଙ୍କୁ ବସାଇ ମାନସ ଦାସ ପ୍ରବଚନ ଦେଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେମିତି ମାନ୍ୟବର ଭଣ୍ଡ ସାରଥୀ ଲୋକଙ୍କୁ ବସାଇ ଭାଷଣ ଦେଉଥିଲେ ଏବଂ ତାଙ୍କଠାରେ ଆଧ୍ୟତ୍ମିକ ଶକ୍ତି ଅଛି ବୋଲି ଲୋକଙ୍କ ଠାରେ ବିଶ୍ୱାସ ଜନ୍ମାଇବା ପାଇଁ ଚେଷ୍ଟା କରୁଥିଲେ, ଠିକ୍ ସେହିଭଳି ଭାବରେ ସେହି ଷ୍ଟାଇଲରେ ବସି ମାନସ ଦାସ ମଧ୍ୟ ନିଜ ପାଖରେ ଆଧ୍ୟାତ୍ମିକ ଶକ୍ତି ଅଛି ବୋଲି ବିଶ୍ୱାସ ଜନ୍ମାଇଥିଲେ । ଏବଂ ଲୋକଙ୍କ ବିଶ୍ୱାସ ଜିତିବାକୁ ଚାହୁଁଥିଲେ । କାରଣ ମାନସ ଭାବୁଥିଲା ଏହି ବିଶ୍ୱାସ ଲୋକଙ୍କ ଠାରେ ଜନ୍ମାଇପାରିଲେ ଲୋକମାନେ ତାକୁ ପୂଜା କରିବେ । ଆଉ ଯିଏ କଥା ମାନୁ ନଥିଲା ତା ଉପରେ ଭୟଙ୍କର ଭାବେ ଅତ୍ୟାଚାର କରାଯାଉଥିଲା ।

ଖାଲି ଏତିକି ନୁହେଁ, ଶାସକ ଦଳର ସାଂସଦ, ବିଧାୟକ, ବଡ ବଡ ନେତା ତାଙ୍କୁ ମୁଣ୍ଡିଆ ମାରୁଥିଲେ । ଆଧ୍ୟାତ୍ମିକ ଗୁରୁର ମୁଖାପିନ୍ଧି ଆତଙ୍କରାଜ ଚଳାଉଥିଲେ ମାନସ ଦାସ । ଉଭୟ ଅର୍ଥବଳ ଓ ବାହୁବଳରେ ବଳୀୟାନ ମାନସ ଦାସଙ୍କ ଆଗରେ ନେତା ବି ମୁଣ୍ଡ ନୁଆଁଉଥିଲେ । ମାନବବାଦ ସଂଗଠନ ନାଁରେ ବୋଲଗଡ ବେଗୁନିଆ ଅଂଚଳରେ ଆତଙ୍କରାଜ ଚଳାଇଥିବା ଏହି ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିବାକୁ କେହି ସାହସ କରନ୍ତିନି, ଆଉ ଯଦି କେହି ଥାନାକୁ ଯାଇ ଅଭିଯୋଗ କଲା, ତେବେ ପୋଲିସ କିଛି କରେନି । ଓଲଟା ଅଭିଯୋଗ କରିଥିବା ଲୋକ ଆକ୍ରୋଶର ଶୀକାର ହୁଏ । ଯେଉଁଠି ନେତା, ପୋଲିସ ଓ ବଡ ବଡ ଅଧିକାରୀମାନେ ସର୍ବସାଧାରଣରେ ତାଙ୍କର ବୋଲକରା ପରି କାମ କରନ୍ତି, ସେଠି ସାଧାରଣ ଲୋକ ଅଭିଯୋଗ କରିବାକୁ ସାହସ ବା କରିବ କେମିତି ? ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମଧ୍ୟ ମାନସ ଦାସଙ୍କୁ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିଜେଡି ସାଂସଦ ତଥା ଅଭିନେତା ପ୍ରଶାନ୍ତ ନନ୍ଦ ମଧ୍ୟ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଆଉ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମାନସଙ୍କ ପ୍ରଶଂସାରେ ଏମିିତି ଶତମୁଖର ଯେ, ଯେମିତି ମାନସ ଦାସ ଜଣେ ମହାପୁରୁଷ ।

ଏବେ ମାନସଙ୍କ ଭିଡିଓ ଭାଇରାଲ ହେବା ପରେ ଜଣକ ପରେ ଜଣେ ନେତା ମାନସଙ୍କ ସହ କେମିତି ଲିଙ୍କ୍ କାଟିବେ, ସେହି ଚିନ୍ତାରେ ଅଛନ୍ତି । ନିର୍ବାଚନ ବେଳେ ଏମିତି ଅନେକ ଲୋକଙ୍କ ସହ ମିଶନ୍ତି, ଆଉ ଭୋଟ ପାଇଁ ମୁଣ୍ଡିଆ ମାରନ୍ତି ବୋଲି କହିଛନ୍ତି ନେତା ଓ ବିଧାୟକମାନେ । ମାତ୍ର ଭୋଟ ପାଇଁ ସେମାନଙ୍କ ଏମିତି ଅଭିନୟ କେତେ ମାରାତ୍ମକ ହୋଇପାରେ, ସେମାନେ କେବେ ଚିନ୍ତା କରିନାହାଁନ୍ତି ।

LEAVE A REPLY

Please enter your comment!
Please enter your name here