breaking news tv concept backdrop banner

ବଦଳିବେ କି କଂଗ୍ରେସ ମଙ୍ଗୁଆଳ । ପଦବି ଛାଡିବେ କି ସୋନିଆ ଗାନ୍ଧି । ଏବେ ଏଭଳି କିଛି କଳ୍ପନା ଜଳ୍ପନା ଓ ପ୍ରଶ୍ନ ଜୋର ଧରିଛି । ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନ୍ତରୀଣ ଅଧ୍ୟକ୍ଷା ପଦକୁ ଛାଡିବା ପାଇଁ ସୋନିଆ ଗାନ୍ଧି ଆଗ୍ରହ ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି । କଂଗ୍ରେସର ୨୦ରୁ ଅଧିକ ବରିଷ୍ଠ ନେତାଙ୍କ ଚିଠି ପରେ ଏନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସରେ ଜଣେ ପୂର୍ଣ୍ଣ କାଳୀନ ଅଧ୍ୟକ୍ଷ ରହିବା ସହ ଦଳରେ କାର୍ଯ୍ୟ ଓ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ଥିବା ଦର୍ଶାଇ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ, ଶଶି ଥରୁର ପୃଥୀବରାଜ ଚୌହାନଙ୍କ ଭଳି ନେତା ସୋନିଆଙ୍କୁ ଚିଠି ଲେଖିଛନ୍ତି । ଯାହା ପରେ ପଦବୀ ଛାଡିବାକୁ ସୋନିଆ ଚାହିଁଥିବା ଚର୍ଚ୍ଚା ହେଉଛି । ଏନେଇ ଆଜି ବସୁଛି ଦଳର ସିଡବ୍ଲ୍ୟୁସି ବୈଠକ । ଏହି ବୈଠକରେ ସୋନିଆଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନ ମୋହନ ସିଂ, ରାହୁଲ ଗାନ୍ଧିଙ୍କ ସମେତ ଦଳର ବରିଷ୍ଠ ପଦାଧିକାରୀ ଯୋଗ ଦେବେ । କୁହାଯାଉଛି ଏହି ବୈଠକରେ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ସୋନିଆ । ଏହା ପୂର୍ବରୁ ଗୋଟିଏ ଗୋଷ୍ଠି ସୋନିଆଙ୍କ ସମର୍ଥନରେ ବାହାରିଛନ୍ତି ।
ତେବେ ଯଦି ସୋନିଆ ପଦ ଛାଡନ୍ତି ତେବେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ । ତାକୁ ନେଇ କଳ୍ପନା ଜଳ୍ପନା ଜୋର ଧରିଲାଣି । ପୂର୍ବତନ ଅଧକ୍ଷ୍ୟ ରାହୁଲ ଗାନ୍ଧି ଆଉ ଦଳର ମଙ୍ଗ ଧରିବେନି ବୋଲି ଚର୍ଚ୍ଚା ହେଉଛି । ରାହୁଲ ନିଜ ଆଡୁ ଏହା ସ୍ପଷ୍ଟ କରିଥିବା କୁହାଯାଉଛି । ସଙ୍ଗଠନ ମଜଭୂତ କରିବା ନେଇ ଇଛୁକ ଥିବା ସେ କହିଛନ୍ତି । ତେବେ ରାହୁଲଙ୍କୁ ପୁଣି ଥରେ ଅଧ୍ୟକ୍ଷ କରିବା ନେଇ ଗୋଟିଏ ଗୋଷ୍ଠି ଲବି ଚଳାଇଥିବା ଜଣାପଡିଛି । ସେପଟେ ଭଉଣୀ ପ୍ରିୟଙ୍କା ଗାନ୍ଧି ସାଧାରଣ ସମ୍ପାଦକ ଭାବେ ହିଁ କାର୍ଯ୍ୟ ଜାରି ରଖିବେ ବୋଲି ଚର୍ଚ୍ଚା ହେଉଛି । ଯଦି ରାହୁଲ କିମ୍ବା ପ୍ରିୟଙ୍କା ଦଳର ସୁପ୍ରିମୋ ପଦବି ନ ଆପଣାନ୍ତି ତେବେ କଂଗ୍ରେସରେ ଅଣ ଗାନ୍ଧି ପରିବାରର କାହାକୁ ଦାୟିତ୍ୱ ମିଳିପାରେ । ୧୯୯୬ରେ ଶେଷ ଥର ପାଇଁ କଂଗ୍ରେସର ଅଣ ଗାନ୍ଧି ଭାବେ ଶୀତାରାମ କେଶରୀ ଦାୟିତ୍ୱ ସମ୍ଭାଳିଥିଲେ । ଏହାପରେ ୧୯୯୮ରୁ ୨୦୧୭ ଯାଏ ୧୯ ବର୍ଷ ଯାଏଁ ଦଳର ଅଧ୍ୟକ୍ଷା ଥିଲେ ସୋନିଆ । ୨୦୧୭ରେ ପୁଅ ରାହୁଲ ଗାନ୍ଧି ଦାୟିତ୍ୱ ନେଇଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପଦବୀରେ ଇସ୍ତଫା ଦେବା ପରଠୁ ଅନ୍ତରୀଣ ଦାୟିତ୍ୱ ସମ୍ଭାଳୁଛନ୍ତି ସୋନିଆ ଗାନ୍ଧି ।

LEAVE A REPLY

Please enter your comment!
Please enter your name here