ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ତାଙ୍କ ବାସଭବନ ନିକଟରେ ଦୁଇ ଜଣ ଗୁଳି କରି ହତ୍ୟା କରିଥିଲେ । ଏଥିପାଇଁ ବୈଦ୍ୟନାଥପୁର ଥାନା ପୋଲିସ କେସ୍ ନଂ ୫୦୮ରେ ମାମଲା ରୁଜୁ କରି ତଦନ୍ତ କରିଥିଲା । ବ୍ରହ୍ମପୁର ଏସପିଙ୍କ ତତ୍ୱାବଧାନରେ ୬ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ଭିତରେ ଏବଂ ବାହାରେ ତନ୍ନ ତନ୍ନ କରି ପୋଲିସ ଟିମ୍ ଯାଞ୍ଚ କରିଥିଲା । ଏହି ହତ୍ୟାର ଚେର ବ୍ରହ୍ମପୁର ଯାଇ ବିହାରରେ ବାହାରିଛି ।
ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବୁଧବାର ବଡ଼ ଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ । ତଦନ୍ତରୁ ଜଣାପଡ଼ିଛି ଯେ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ସେପ୍ଟେମ୍ବର ମାସରୁ ଯୋଜନା କରାଯାଇଥିଲା । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ । ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା । ସେପ୍ଟେମ୍ବର ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ବିହାରରୁ ଏକ ଟିମ୍ ବ୍ରହ୍ମପୁର ଆସିଥିଲା । ସେମାନଙ୍କୁ ଆଣିଥିଲେ ମଳୟ ବିଷୋୟୀ । କିନ୍ତୁ ବିହାରରୁ ଆସିଥିବା ସୁଟର, ପତ୍ନୀଙ୍କ ଦେହ ଖରାପ ପାଇଁ ବିହାର ଫେରିଗଲେ । ତେଣୁ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇପାରି ନ ଥିଲା। ପ୍ରଥମ ଉଦ୍ୟମ ବିଫଳ ହେବା ପରେ ସେମାନେ ଅକ୍ଟୋବର ୬ରେ ପୁଣି କାର୍ଯ୍ୟକାରୀ କରିଥିଲେ । ଏଥିପାଇଁ ସେମାନେ ଆଉ ଏକ ଟିମ୍ ଆଣିଥିଲେ । ନିଜ ଘର ବନ୍ତପଲେଇରୁ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନକୁ ଠିକ୍ କଲେ ଉମା ବିଷୋୟୀ । ଉଭୟ ପୀତବାସଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଏକ ଘର ନେଇ ରହିଥିଲେ । ସେଠାରେ ରହି ସେମାନେ ପୁଣି ଆଉ ଥରେ ଯୋଜନା କଲେ । ଏହା ପରେ ଯୋଗୀ ଓ ଉମା ସେମାନଙ୍କୁ କହିଥିଲେ ଯେ, ଯିଏ ଗାଡି ଚଲାଇବେ ତାଙ୍କୁ ୩ ଲକ୍ଷ ଓ ଯିଏ ଗୁଳି ଚଳାଇବ ତାଙ୍କୁ ୫ ଲକ୍ଷ ଦିଆଯିବ ।ଏହା ପରେ ସେମାନେ ପୀତବାସଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲେ । ଶୀତଳାପଲ୍ଲୀରେ ହେଲମେଟ୍ ଏବଂ ବନ୍ଧୁକ ଲୁଚାଇ ରଖିଥିଲେ ଏବଂ ରାମେଶ୍ୱରମରୁ ବସରେ ପଳାଇଯାଇଥିଲେ । ପୁରୀ ଦେଇ ଜୟପୁର ଯାଇଥିଲେ । ଜୟପୁରରେ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁନୀଲ ହୋତାଙ୍କ ଘରେ ଆଶ୍ରୟ ନେଇଥିଲେ । ମୋଟରେ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ।













