ଶିକ୍ଷକଙ୍କ ଆନ୍ଦୋଳନ ଆଉ ଥମିବାର ନାମ ନେଉନାହିଁ। ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନରୁ ହଟିବା ପରେ ଏବେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ଭୁବନେଶ୍ବର ଲୋୟର୍ ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲା ସଂଘ । ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କନିଷ୍ଠ ଶିକ୍ଷକମାନେ ପଢ଼ାଉଛନ୍ତି । ବର୍ତ୍ତମାନ ସୁଦ୍ଧା ଠିକା କର୍ମଚାରୀ ଭାବେ ସାରା ରାଜ୍ୟରେ ୧୩ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ସଂଘ କାର୍ଯ୍ୟ କରୁଛନ୍ତି।ସୂଚନା ଅନୁଯାୟୀ ଅଗଷ୍ଟ ୨୨ ତାରିଖରେ ରାଜ୍ୟ ସରକାର କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରିନାହାନ୍ତି। ଏପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ବାହାରୁନାହିଁ କୌଣସି ସରକାରୀ ନିର୍ଦ୍ଦେଶନାମା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଶିକ୍ଷକ ସଂଘ। ଆଜିଠୁ ଲୋୟର୍ ପିଏମଜିରେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା ଜାରି ରଖିବାକୁ ଚେତାବନୀ ଦେଇଛି ।














