୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ପ୍ରଥମ ବଜେଟରେ ସରକାର ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ପାଇଁ ନିଜର ସଂକଳ୍ପ ଦୋହରାଇଛନ୍ତି। ଏହି ସଂକଳ୍ପକୁ ପୂରା କରିବା ପାଇଁ ଅର୍ଥମନ୍ତ୍ରୀ ୩ଟି କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି କର୍ତ୍ତବ୍ୟଗୁଡ଼ିକ ଦେଶକୁ ଏକ ସମୃଦ୍ଧ ଏବଂ ସମାବେଶୀ ଅର୍ଥନୀତି ଆଡ଼କୁ ଆଗେଇ ନେବାରେ ସହାୟକ ହେବ ।ପ୍ରଥମ କର୍ତ୍ତବ୍ୟ, ଅର୍ଥନୈତିକ ଅଭିବୃଦ୍ଧି। ଉତ୍ପାଦନ କ୍ଷମତା ଓ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି କରି ଦେଶର ଅର୍ଥନୀତିକୁ ବଢ଼ାଇବା । ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ଅଟେ । ଦ୍ୱିତୀୟ କର୍ତ୍ତବ୍ୟ ହେଲା ଲୋକଙ୍କ ସାମର୍ଥ୍ୟ ବୃଦ୍ଧି। ଦେଶବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଓ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା। ଯାହାଫଳରେ ପ୍ରତିଟି ଭାରତୀୟ ନାଗରିକ ସମୃଦ୍ଧି ପଥରେ ଜଣେ ଜଣେ ଶକ୍ତିଶାଳୀ ସହଭାଗୀ ହୋଇପାରିବ।
ତୃତୀୟ କର୍ତ୍ତବ୍ୟ ହେଉଛି, ସମ୍ବଳର ସମାନ ବଣ୍ଟନ- ‘ସବ୍‌କା ସାଥ୍ ସବ୍‌କା ବିକାଶ’ ଦୃଷ୍ଟିକୋଣକୁ ଆଧାର କରି ସବୁ ପରିବାର, ସମ୍ପ୍ରଦାୟ,କ୍ଷେତ୍ର ଏବଂ ଅଞ୍ଚଳ ଯେପରି ଆବଶ୍ୟକ ସମ୍ବଳ ଓ ସୁବିଧା ପାଇବେ, ତାହା ନିଶ୍ଚିତ କରିବା। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୬ ବଜେଟ୍, ଲଖପତି ଦିଦି କାର୍ଯ୍ୟକ୍ରମର ସଫଳତା ଉପରେ ଆଧାରିତ ଅଟେ । ସରକାର ମହିଳାମାନଙ୍କୁ କ୍ରେଡିଟ୍-ଲିଙ୍କ୍ଡ୍ ଜୀବିକାରୁ ଉଦ୍ୟୋଗ ମାଲିକାନା ଆଡ଼କୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବାକୁ ଯୋଜନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଲକ୍ଷପତି ଦିଦି ଯୋଜନାର ସଫଳତା ପରେ, ଅର୍ଥମନ୍ତ୍ରୀ ‘ଶି ମାର୍ଟସ’ ଘୋଷଣା କରିଛନ୍ତି। ଏହି ମାର୍ଟଗୁଡ଼ିକ ସ୍ବୟଂ ସହାୟକ ଉଦ୍ୟୋଗୀମାନଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଖୁଚୁରା ଦୋକାନ ଭାବେ କାର୍ଯ୍ୟ କରିବ। ଏହି ଯୋଜନା ମହିଳା ଉଦ୍ୟୋଗୀମାନଙ୍କର ଏକ ବୃହତ ବଜାରରେ ପ୍ରବେଶ ସୁନିଶ୍ଚିତ କରିବା ଲକ୍ଷ୍ୟ ରଖିଛି। ଏହି ଯୋଜନା ଅଧୀନରେ ମହିଳାମାନେ ନିଜର ବ୍ରାଣ୍ଡ ସୃଷ୍ଟି କରିପାରିବେ ଓ ଯଥେଷ୍ଟ ଲାଭ ମଧ୍ୟ ଅର୍ଜନ କରିପାରିବେ।

LEAVE A REPLY

Please enter your comment!
Please enter your name here