ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ପରେ ଫରିଦାବାଦ ଆତଙ୍କୀ ମଡ୍ୟୁଲର ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଏହି ଆତଙ୍କୀ ଚେନରେ ୬ ଜଣ ଡାକ୍ତର ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଡାକ୍ତର ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ । ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ମହିଳା ଡାକ୍ତର ଶାହୀନ, ଡାକ୍ତର ମହମ୍ମଦ ଉମର ଓ ଡାକ୍ତର ମୁଜାମ୍ମିଲ ସାକିଲ୍ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରେ ଚାକିରୀ କରୁଥିଲେ । ଏମାନେ ବରିଷ୍ଠ ଡାକ୍ତର ଥିଲେ । ଦିଲ୍ଲୀ ବିସ୍ଫୋରଣ ପରେ ଫରିଦାବାଦ ପୋଲିସ ବିଶ୍ୱବିଦ୍ୟାଳୟର ୫୨ ଜଣଙ୍କୁ ଜେରା କରିବା ପରେ ୬ ଜଣଙ୍କୁ ଉଠାଇ ନେଇଛି । ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀ ଏବଂ ଆଉ କିଛି ରିସର୍ଚ୍ଚ ସ୍କଲାର୍ସ ରହିଛନ୍ତି । ପୋଲିସ ଆହୁରି ମଧ୍ୟ ଖୋଳତାଡ଼ ଜାରି ରଖିଛି ଯେ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି । ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ଆଇ-୨୦ କାର୍ ବିଶ୍ୱବିଦ୍ୟାଳୟ ପରିସରରେ ୧୧ ଦିନ ଧରି ରଖା ଯାଇଥିଲା। ଅକ୍ଟୋବର ୨୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପାର୍କିଂରେ ଥିଲା । ଅକ୍ଟୋବର ୨୯ ତାରିଖ ଦିନ ହିଁ ଏହି କାର୍ କିଣାଯାଇଥିଲା , ଏବଂ ତୁରନ୍ତ ହିଁ ପ୍ରଦୂଷଣ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇଥିଲା । ସିସିଟିଭି ଫୁଟେଜରେ ତିନି ଜଣ ବ୍ୟକ୍ତି ଏହି କାର ସହିତ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ୧୦ ନଭେମ୍ବର ସକାଳେ ଡାକ୍ତର ଉମର କାରଟିକୁ ଅତି ବ୍ୟସ୍ତ ବିବ୍ରତ ହୋଇ ନେଇ ଆସୁଥିବାର ମଧ୍ୟ ସିସିଟିଭିରେ ଦେଖାଯାଇଥିବା ତଦନ୍ତ ଅଧିକାରୀ କହିଛନ୍ତି।














