ଆସନ୍ତା ସପ୍ତାହରେ ମାଲେସିଆରେ ଆୟୋଜିତ ହେଉଥିବା ଆସିୟାନ ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ହେବାର ସମ୍ଭାବନା ରହିଛି। ଏହି ମଧ୍ୟରେ ଆମେରିକା ପକ୍ଷରୁ ଭାରତୀୟ ରପ୍ତାନୀ ଉପରେ ଲଗାଯାଇଥିବା ଟାରିଫରେ ୧୫ରୁ ୧୬ ପ୍ରତିଶତ ରିହାତି ମିଳିପାରେ ବୋଲି ଖବର ମିଳିଛି। ଏଥିରେ ୧୫ ପ୍ରତିଶତର ଆଶ୍ୱସ୍ତି ରପ୍ତାନୀକାରୀଙ୍କ ପାଇଁ ଫାଇଦା ସାବ୍ୟସ୍ତ ହୋଇପାରେ । କାରଣ ଏବେ ଆମେରିକା ଭାରତର ରପ୍ତାନୀ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି ।ଭାରତ ଏବେ ରୁଷଠୁ ନିଜ ଆବଶ୍ୟକତାର ୩୪ ପ୍ରତିଶତ ତୈଳ ରୁଷଠୁ ଆମଦାନୀ କରୁଛି । ଆଉ ଆମେରିକାଠୁ ଏହି ପରିମାଣ ୧୦ ପ୍ରତିଶତ ରହିଛି । ଆମେରିକା ଚାହୁଁଛି କି ଭାରତ ରୁଷଠୁ ତେଲ ଆମଦାନୀ କମ କରି ତା ସହ ଅଧିକ ଡିଲ୍ କରୁ । ଆମେରିକାର ମକ୍କା ଓ ସୋୟାବିନକୁ ଭାରତୀୟ ବଜାରରେ ଏଣ୍ଟ୍ରି ଦିଆଯାଇପାରେ । ଆମେରିକା ଭାରତ ସହ ଅର୍ଥନୈତିକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ କିଛି ଆଶ୍ବସ୍ତି ଦେଇପାରେ। ଚୀନ ଆମେରିକାଠୁ ମକା ଓ ସୋୟାବିନ ଆମଦାନୀ ବନ୍ଦ କରିଥିବାରୁ, ବର୍ତ୍ତମାନ ଆମେରିକା ନୂତନ ବଜାର ଖୋଜୁଛି। ଭାରତର ଜନସଂଖ୍ୟା ଓ ବଡ଼ ବଜାରକୁ ଦେଖି ଆମେରିକା ଏହାକୁ ସର୍ବୋତ୍ତମ ସୁଯୋଗ ଭାବେ ଦେଖୁଛି।ଏଥିପାଇଁ ଭାରତ ବି ସର୍ତ୍ତ ରଖିଛି । ଭାରତର କହିବା କଥା ଆମେରିକାର ମକ୍କା ଓ ସୋୟାବିନ ଉପରେ ୧୫ ପ୍ରତିଶତ ଶୁଳ୍କ ଲାଗିବ । ଯଦି ଆମେରିକା ଏହି ସର୍ତ୍ତରେ ରାଜି ତେବେ କଥା ଆଗକୁ ବଢିବ । ଭାରତ ମଧ୍ୟ ସୋୟାବିନ ଆମଦାନୀ କରିବା ଉପରେ ବିଚାର କରୁଛି । ଯଦି ଭାରତ ଆମେରିକୀୟ ମକା ଓ ସୋୟାବିନକୁ ନିଜ ବଜାରରେ ପ୍ରବେଶ ଅନୁମତି ଦିଏ, ତେବେ ଆମେରିକା ପକ୍ଷରୁ ଲଗାଯାଇଥିବା ୫୦ ପ୍ରତିଶତ ଟାରିଫରେ ୧୫ ପ୍ରତିଶତ ହ୍ରାସ କରାଯିବା ସମ୍ଭାବନା ରହିଛି। ଯାହାଦ୍ବାରା ଭାରତୀୟ ରପ୍ତାନୀକାରୀଙ୍କୁ କିଛି ଆଶ୍ୱସ୍ତି ମିଳିବ।













