ଯାତ୍ରା ପେଣ୍ଡାଲରୁ ପଳାସପଲ୍ଲୀ ବୁଲିଲା ବାଘ. ଖଣ୍ଡଗିରି ପାରି ହୋଇ ପଳାସପଲ୍ଲୀରେ ଭୟ ସୃଷ୍ଟି କରିଛି ବାଘ. ଯାହାକୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି. ବର୍ତ୍ତମାନ ଏହି ଖବର ପ୍ରକାଶ ପାଇବା ପରେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି. ଗତ ରାତିରେ ଖଣ୍ଡଗିରି ମଞ୍ଚ ଉପରେ ବୁଲୁଥିବା ବାଘ ପଳାସପଲ୍ଲୀ ପଳାଇଲା ବୋଲି ଏବେ ଯାତ୍ରାପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି. ବର୍ତ୍ତମାନ ଖଣ୍ଡଗିରି ମେଳା ଚାଲିଥିବାରୁ ସେଠାରେ ବିଭିନ୍ନ ଯାତ୍ରା ପାର୍ଟି ପଡିଛି. ଏହାକୁ ନେଇ ଗତ ରାତିରେ ଗୌରୀ ଗଣନାଟ୍ୟର ନାଟକ ଥିଲା ‘ବାଘ ବୁଲୁଛି ରାଜଧାନୀରେ’. ନାଟକର ନାଁ ଆକର୍ଷଣୀୟ ହୋଇଥିବାରୁ ଯାତ୍ରାପ୍ରେମୀ ଏହାକୁ ନେଇ ବେଶ ଉତ୍କଣ୍ଠିତ ଥିଲେ. ଆଉ ଖଣ୍ଡଗିରି ଯାତ୍ରାରେ ବେଶ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା. ମାତ୍ର ଅନ୍ୟପଟେ, ସତକୁ ସତ ପଳାସପଲ୍ଲୀ ଅଞ୍ଚଳରେ ଏକ ବାଘ ବୁଲୁଥିଲା. ଯାହାର ସଂପୂର୍ଣ୍ଣ ଭିଡିଓ କଏଦ ହୋଇଛି ସିସିଟିଭି କ୍ୟାମେରାରେ. ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ 11ଟା ସମୟରେ ବିମାନ ବନ୍ଦର ପାଚେରୀ ଡେଇଁ ବାଘଟି ରାସ୍ତା ଉପରେ ବୁଲୁଥିବା ନଜର ଆସିଥିଲା. କିଛି ସମୟ ପରେ ବାଘଟି ଆଉ କ୍ୟାମେରାରେ ଦେଖିବାକୁ ମିଳିନଥିଲା. ତେବେ ବାଘଟି କେଉଁଆଡେ ଗଲାବୋଲି ଏବେ ପ୍ରଶ୍ନ ଉଠିଥିବା ବେଳେ ରାଜଧାନୀବାସୀଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳିଯାଇଛି.

LEAVE A REPLY

Please enter your comment!
Please enter your name here