ପୁଣି ଏକ ବଡ଼ ଧରଣର ଆତଙ୍କବାଦ ଆକ୍ରମଣରୁ ଟଳି ଯାଇଛି ଭାରତ। ଫରିଦାବାଦ ମଡ୍ୟୁଲ୍ ଏବଂ ଦିଲ୍ଲୀ ବିସ୍ଫୋରଣ ପରେ ରାଜସ୍ଥାନରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ରାଜସ୍ଥାନ ପୋଲିସ ରାଜସମନ୍ଦରୁ ବିସ୍ଫୋରକ ଭର୍ତ୍ତି ପିକ୍ଅପ୍ ଭ୍ୟାନ ଜବତ କରିଛି ,ଏହା ଏତେ ବିପଜ୍ଜନକ ଥିଲା ଯେ ଗୋଟିଏ ବିସ୍ଫୋରଣରେ ୧୦ କିଲୋମିଟର ଅଞ୍ଚଳକୁ ନଷ୍ଟ କରିଦେଇପାରିଥାନ୍ତା। ରାଜସମନ୍ଦର ଶ୍ରୀନାଥଜୀ ପୋଲିସ ଷ୍ଟେସନ ପିକଅପ୍ ଭ୍ୟାନ୍ ରୁ ଏହି ବିସ୍ଫୋରକ ଜବତ କରିଛି । ଏହାକୁ ରାଜସ୍ଥାନର ଆମେଦରୁ ନାଥଦ୍ୱାରକୁ ଏକ ପିକଅପ୍ ଭ୍ୟାନରେ ପରିବହନ କରାଯାଉଥିଲା। ଭ୍ୟାନର ତଲାସି ସମୟରେ ପୋଲିସ ବିସ୍ଫୋରକଗୁଡ଼ିକୁ ପାଇଥିଲା । ବିସ୍ପୋରକ ଭର୍ତ୍ତି ପୋଲିସ ଭ୍ୟାନ୍ ଜବତ କରିବା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି ଓ ସମଗ୍ର ଅଞ୍ଚଳରେ ପୋଲିସକୁ ସତର୍କ କରାଯାଇଛି। ପିକଅପ୍ ଭ୍ୟାନ୍ ବିସ୍ଫୋରଣ ଘଟଣାକୁ ନେଇ ପୋଲିସ ଡ୍ରାଇଭରଙ୍କୁ ପଚରାଉଚରା କରୁଛି। ପୋଲିସ କହିଛି, ଭ୍ୟାନ୍ରେ ଥିବା ବିସ୍ଫୋରକ ବିସ୍ଫୋରଣ ହୋଇଥିଲେ, ୧୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ପ୍ରଭାବିତ ହୋଇଥାନ୍ତା। ଏତେ ବଡ଼ ପରିମାଣର ବିସ୍ଫୋରକ କେଉଁଠୁ ଆସିଲା ସେଥିପାଇଁ ତଦନ୍ତ ଚାଲିଛି। ଏଥିରେ ଅନେକ ଲୋକ ଜଡିତ ଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ରାଜସ୍ଥାନରୁ ଚାରିଜଣ ସନ୍ଦିଗ୍ଧ ମୌଲବୀଙ୍କୁ ପୋଲିସ ଅଟକ ରଖିଥିଲା । ତଦନ୍ତ ସମୟରେ ମୌଲବୀ ଓସାମା ଉମରଙ୍କ ପାକିସ୍ତାନୀ ଆତଙ୍କୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ସହ ପ୍ରତ୍ୟକ୍ଷ ସମ୍ପର୍କ ଥିବା ଜଣାପଡିଛି।














