ଦିଲ୍ଲୀ ଲାଲକିଲ୍ଲା ବ୍ଲାଷ୍ଟ ପରେ ଏବେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ସୁରକ୍ଷାକୁ ନେଇ ଜଳ, ସ୍ଥଳ ଓ ଆକାଶ ପଥରେ ସବୁଠି ଯାଞ୍ଚ କଡ଼ା କରାଯାଇଛି । ଏନେଇ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଟାଇଟ୍ କରାଯାଇଛି । ଉଭୟ ଆଗମନ ଓ ପ୍ରସ୍ଥାନ ପାଖରେ ଚେକିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି । DGCA ନିର୍ଦ୍ଦେଶରେ ୩ ଦିନ ଯାଏଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । କ୍ୟୁଆରଟି ସାଙ୍ଗକୁ ବମ୍ ସ୍ୱାର୍ଡ, ଡଗ୍ ସ୍ୱାର୍ଡ୍ଙ୍କ ସର୍ଚ୍ଚ ଅପରେସନ କରାଯାଉଛି । ଭୁବନେଶ୍ୱରର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, “ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସେର୍ଭିଲାନ୍ସ ବଢିଛି । ବିମାନବନ୍ଦର ପକ୍ଷରୁ ଉଭୟ ଆରାଇଭାଲ ଏବଂ ଡିପାଚର ପାଖରେ ଚେକିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ସୁରକ୍ଷାକୁ ନେଇ ଅଧିକ ଗୁରୁତ୍ୱ ଦିଆଯିବ । ” ଗତକାଲି ରାତିରେ ଭୁବନେଶ୍ୱର ରେଳ ଷ୍ଟେସନ ସହ ବସଷ୍ଟାଣ୍ଡ ଆଦି ଅଞ୍ଚଳରେ ଯାଞ୍ଚ କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତନ୍ନତନ୍ନ କରି ଯାଞ୍ଚ କରାଯଉଛି । ଭୁବନେଶ୍ବର ବିମାନ ବନ୍ଦର ଠାରୁ ଆରମ୍ଭ କରି ବିଧାନସଭା, ରେଳ ଷ୍ଟେସନ, ଲିଙ୍ଗରାଜ ମନ୍ଦିର ଭଳି ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସନ୍ଧିଗ୍ଧ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି ।














