ଶିକ୍ଷକ ବଦଳିରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଜାରି କରିଥିବା ଚିଠିକୁ ଗୁରୁବାର ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ପାଇଁ ସାଂସଦ ଏବଂ ବିଧାୟକଙ୍କୁ ଯେଉଁ କ୍ଷମତା ପ୍ରଦାନ କରିଥିଲେ ତାହାକୁ ଖାରଜ କରିଛନ୍ତି ହାଇକୋର୍ଟ ।ଜଣେ ସାଂସଦ କିମ୍ବା ବିଧାୟକ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ ବୋଲି ରାଜ୍ୟ ସରକାର କହିଥିଲେ । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ପ୍ରାୟ ୩୦ଟି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । କିନ୍ତୁ ଯେଉଁମାନଙ୍କର ବଦଳି ହୋଇଯାଇଛି ସେମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ । ସେମାନଙ୍କୁ ଆସନ୍ତା ଶିକ୍ଷା ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ମିଳିଛି । ମେ ୧୩ ତାରିଖରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ପାଇଁ ସାଂସଦ ଏବଂ ବିଧାୟକଙ୍କୁ କ୍ଷମତା ପ୍ରଦାନ କରି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ ।ଏହା ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ରାଜନୀତିକ ହସ୍ତକ୍ଷେପ ହେବାର ଅଭିଯୋଗ ଉଠିଥିବାରୁ ହାଇକୋର୍ଟରେ ଏକାଧିକ ଆବେଦନ ଦାଖଲ ହୋଇଥିଲା । ସେହି ମାମଲାର ରାୟ ଆଜି ଘୋଷଣା ହୋଇଛି ।














