ଭୁବନେଶ୍ୱର : ମହାପ୍ରଭୁଙ୍କ ଟଙ୍କାକୁ ୟେସ ବ୍ୟାଙ୍କରେ ରଖିବାକୁ ନେଇ ଗତକାଲି ଗୃହରେ ଦେଖାଦେଇଥିଲା ତାତି I ଫଳରେ ଗୃହ ମୁଲତବୀ ରହିଥିଲା I କଂଗ୍ରେସ ବିଧାୟକମାନେ ଶ୍ରୀମନ୍ଦିର ଟଙ୍କାକୁ କିଏ ଘରୋଇ ୟେସ ବ୍ୟାଙ୍କରେ ରଖିଥିଲା ବୋଲି ଉତ୍ତର ମାଗିଥିଲେ I ଆଜି ବାଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ ଉତ୍ତର ଦେଇଛନ୍ତି I ରାଜ୍ୟ ସରକାର ଏହି ଟଙ୍କା ରଖି ନାହାନ୍ତି ବରଂ ଶ୍ରୀମନ୍ଦିର ପ୍ରଶାସନ ରଖିଛନ୍ତି I ଜଗନ୍ନାଥ ମନ୍ଦିରର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୁଏ I ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ I ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଅର୍ଥ ଜମା ପୂର୍ବରୁ ସମସ୍ତ ବ୍ୟାଙ୍କ ତରଫରୁ କୋଟେସନ ମଗାଯାଇଥିଲା I 12ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ I ୟେସ ବ୍ୟାଙ୍କର ସୁଧର ହାର ସର୍ବାଧିକ 8.61% ଥିବାରୁ ବର୍ଷକ ପାଇଁ ଟଙ୍କା ଜମା ହୋଇଥିଲା I