ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଜିଲ୍ଲା ପ୍ରଶାସନ ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛି।ସୁନ୍ଦରଗଡ଼ ଟାଉନ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି। ସୁନ୍ଦରଗଡ଼ ଏସପି,ଟାଉନ ଥାନା ଅଧିକାରୀ ପ୍ରୀତି ମଞ୍ଜରୀ ମେଣ୍ଡୁଲିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ତାଙ୍କୁ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ଭସ୍ମା ଥାନା ଅଧିକାରୀ ସୁଶାନ୍ତ ପରିଡ଼ାଙ୍କୁ ଟାଉନ୍ ଥାନା ଦାୟିତ୍ୱ ମିଳିଛି। ଗତ ୧୫ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଘଟଣା ପରେ ସହରରେ ଗୋଟିଏ ଦିନ ପାଇଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିଲା ଏବଂ ୨୪ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସହରରେ ଇଣ୍ଟରନେଟ ବନ୍ଦ ମଧ୍ୟ ହୋଇଥିଲା । ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଜଣେ ଲୋକ ଗୋ ମାଂସ ରଖିଥିବା ଅଭିଯୋଗ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିଲା। ଏଥିରେ ପୁଲିସ କର୍ମଚାରୀଙ୍କ ସମେତ ଦୁଇ ଗୋଷ୍ଠୀର ୧୨ରୁ ଅଧିକ ଲୋକେ ଆହତ ହୋଇଥିଲେ। ଉପଦ୍ରବୀମାନେ ଦୋକାନ, ଗାଡ଼ିମୋଟର ଭଙ୍ଗାରୁଜା କରିବା ସହ ଏକ ପିକଅପକୁ ଜାଳି ଦେଇଥିଲେ। ଶାନ୍ତି ଫେରାଇ ଆଣିବା ପାଇଁ, ପ୍ରଶାସନ ସୁନ୍ଦରଗଡ଼ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଥିଲେ, ଦୋକାନ ଏବଂ ବଜାର ବନ୍ଦ କରିଥିଲେ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଥିଲେ । ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି, ସୁନ୍ଦରଗଡ଼ ଏସପି ଓ ଜିଲ୍ଲା କଲେକ୍ଟରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ପରିସ୍ଥିତି ଉପରେ କଡ଼ା ନଜର ରଖିଥିଲେ।













