ହନିମୁନ୍ ପାଇଁ ଇନ୍ଦୋରରୁ ମେଘାଳୟ ଯାଇଥିବା ଦମ୍ପତିଙ୍କ ନିଖୋଜକୁ ନେଇ ବଡ଼ ଖୁଲାସା । ସ୍ବାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । ହନିମୁନ୍ରେ ଯାଇଥିବା ଦମ୍ପତି ରାଜା ରଘୁବଂଶୀ ଓ ସୋନମ ରଘୁବଂଶୀ ନିଖୋଜ ହେବା ନେଇ ସାରା ଦେଶରେ ଚହଳ ସୃଷ୍ଟି ହୋଇଥିଲା । ୨୩ ମେ ରେ ନିଖୋଜ ହେବା ପରେ ଜୁନ୍ ୪ ତାରିଖରେ ମିଳିଥିଲା ରାଜାଙ୍କ ମୃତଦେହ । ହେଲେ ସୋନମ୍ଙ୍କ କୌଣସି ପତ୍ତା ମିଳିନଥିଲା ।
ଘଟଣାଟି ହେଉଛି, ବିବାହ ପରେ ହନିମୁନ୍ ପାଇଁ ସିଲଙ୍ଗ ଯାଇଥିଲେ ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀ ଓ ତାଙ୍କ ପତ୍ନୀ ସୋନମ୍ । ସେଠାକୁ ଯିବାର କିଛି ଦିନ ଯାଏ ପରିବାର ଲୋକଙ୍କ ଯୋଗାଯୋଗରେ ଥିଲେ । ହେଲେ ହଠାତ୍ ଦୁହିଁଙ୍କ ଫୋନ୍ ସ୍ବିଚ୍ ଅଫ୍ ହୋଇଯାଇଥିଲା । କିଛି ଦିନ ଯୋଗାଯୋଗ ନହେବାରୁ ପରିବାର ଲୋକେ ସିଲଙ୍ଗ ଗଲେ । ଯେଉଁ ଠିକଣା ପୂର୍ବରୁ ରାଜା କହିଥିଲେ ସେ ସ୍ଥାନକୁ ଯାଇ ଖୋଜାଖୋଜି କରିବା ପରେ ବି ପୁଅ ବୋହୂ ମିଳିଲେନି । ସେଠାରୁ ଫେରି ସ୍ଥାନୀୟ ପୁଲିସର ସାହାଯ୍ୟ ମାଗିଥିଲେ । ସ୍ଥାନୀୟ ପୁଲିସ ମେଘାଳୟ ପୁଲିସ ସହ ଯୋଗାଯୋଗ କରିଥିଲେ । ଅନେକ ଖୋଜିବା ପରେ ଜୁନ୍ ୨ ତାରିଖରେ ଚେରାପୁଞ୍ଜିର ଏକ ଝରଣା ନିକଟରୁ ରାଜାଙ୍କ ମୃତଦେହ ମିଳିଥିଲା । ତେବେ ମୃତଦେହର ହାତରେ ରାଜା ଟାଟୁ ହୋଇଥିବା ଦେଖି ସେଠିକାର ପୁଲିସ ଇନ୍ଦୋର ପୁଲିସକୁ ଜଣାଇବା ପରେ ପରିବାର ଲୋକେ ଯାଇ ପୁଅକୁ ଚିହ୍ନିଥିଲେ । ରାଜାଙ୍କ ମୃତଦେହରେ କ୍ଷତ ଚିହ୍ନ ଥିବାବେଳେ ତାଙ୍କ ଶବ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିଲା । ପୁଲିସ ତଦନ୍ତ ଆଗରେ ପତ୍ନୀ ସୋନମ ହଡବଡେଇ ଯାଇଥିଲେ । ଆଉ ଶେଷରେ ପୁଲିସ୍ ଆଗରେ ଆତ୍ମସମର୍ପଣ କରିଛନ୍ତି ସ୍ତ୍ରୀ ସୋନମ୍ । ସେ ହିଁ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି ।