କେନ୍ଦୁଝର ଜିଲ୍ଲାର ଘଟଗାଁ ଥାନା ତୋରାଣୀ ପୋଖରୀ ଆଶ୍ରମ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରକୁ ଚତୁର୍ଥ ଶ୍ରେଣୀର କିଛି ଛାତ୍ର ନିର୍ଯାତନା ଦେଇଛନ୍ତି ଓ ଗୁପ୍ତାଙ୍ଗରେ ଜରି ବାନ୍ଧି ନିଆଁ ଲଗାଇ ଦେଇଛନ୍ତି । ଗୁରୁବାର ସନ୍ଧ୍ୟା ସମୟରେ ଚତୁର୍ଥ ଶ୍ରେଣୀର କିଛି ଛାତ୍ର ଜଣେ ପ୍ରଥମ ଶ୍ରେଣୀର ଛାତ୍ରକୁ ନିର୍ଯାତନା ଦେଇଛନ୍ତି । କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ହେବାରୁ ଛାତ୍ର ଜଣକୁ ଉପର ଶ୍ରେଣୀର ଛାତ୍ରମାନେ ପ୍ରଥମେ ମାଡ଼ ମାରିଥିଲେ ଓ ଗୁପ୍ତାଙ୍ଗରେ ଜରି ବାନ୍ଧି ନିଆଁ ଲଗାଇ ଦେଇଥିଲେ । ଶିକ୍ଷକ ଜାଣିବା ପରେ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରିଥିଲେ ଓ ଶୁକ୍ରବାର ସକାଳେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହା ପରେ ପରିବାର ଲୋକେ ପିଲାକୁ ମେଡ଼ିକାଲରୁ ନେଇ ଘରକୁ ଚାଲିଯାଇଥିଲେ । ଘରେ ମାଆ ପିଲାର ପୋଷାକ ବଦଳାଉ ଥିବାବେଳେ ଗୁପ୍ତାଙ୍ଗରେ ନିଆଁ ଚେଙ୍କ ଦିଆଯାଇଥିବା ଦେଖିବାକୁ ପାଇଥିଲେ । ଏହା ପରେ ତୁରନ୍ତ ପାଟଣା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଛାତ୍ରମାନେ ଗୁପ୍ତାଙ୍ଗରେ ଏକ ଜରି ବାନ୍ଧି ନିଆଁ ଲଗାଇଥିବା ସେମାନେ ଅଭିଯୋଗ କରିଛନ୍ତି ।ଆହତ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଗାଁ ପୋଲିସକୁ ଖବର ଦେବା ପରେ ତଦନ୍ତ ଆରମ୍ଭ ହୋଇଛି ।













